/odisha-reporter/media/post_attachments/uploads/2022/02/UN.jpg)
UN
ମିଳିତ ଜାତିସଂଘ: ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆସିଥିବା ଗୋଟିଏ ସଂକଳ୍ପ ଉପରେ ଭିଟୋ ପ୍ରୟୋଗ କରିଛି ମସ୍କୋ। ରୁଷର ପଦକ୍ଷେପକୁ ନିନ୍ଦା ଓ ତୁରନ୍ତ ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର ଆଦି ବିଷୟରେ ଏହି ସଂକଳ୍ପରେ ଉଲ୍ଲେଖ ରହିଥିଲା। ରୁଷ ଏହି ସଂକଳ୍ପ ବିରୋଧରେ ଭିଟୋ ପ୍ରୟୋଗ କରିଥିବା ବେଳେ ଭାରତ ଭୋଟ ଦାନରୁ ବିରତ ରହିବା ସମମ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆମେରିକା ଓ ଆଲବେନିଆ ପକ୍ଷରୁ ଏହି ସଂକଳ୍ପ ପତ୍ର ମିଳିତ ଜାତିସଂଘରେ ଆଗତ କରାଯାଇଥିଲା। ସମସ୍ତେ ଜାଣିଥିଲେ ଯେ ରୁଷ ପାଖରେ ସ୍ଥାୟୀ ସଦସ୍ୟତାର ମାନ୍ୟତା ଥିବାରୁ ସେ ଭିଟୋ ପ୍ରୟୋଗ କରିବ। କିନ୍ତୁ ଭାରତ ଉତ୍ତେଜନାମୂଳକ ପଦକ୍ଷେପ ବିରୋଧୀ ପ୍ରସ୍ତାବ ବିରୋଧରେ କିମ୍ବା ସପକ୍ଷରେ ଭୋଟ ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭାରତ ସମେତ ଚାଇନା ଓ ୟୁଏଇ ମଧ୍ୟ ଭୋଟ ଦାନରୁ ଦୂରେଇ ରହିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୫ ରାଷ୍ଟ୍ର ମଧ୍ୟରୁ ବାକି ୧୧ ଜଣ ଏହା ସପକ୍ଷରେ ଭୋଟ ଦେଇଛନ୍ତି। ଏବେ ମିଳିତ ଜାତିସସଂଘର ୧୯୩ ସଦସ୍ୟ ବିଶିଷ୍ଟ ସାଧାରଣ ପରିଷଦରେ ଏହି ଡ୍ରାଫ୍ଟ ସଂକଳ୍ପ ଆଗତ ହୋଇପାରେ। ସେଠାରେ ମଧ୍ୟ ଏହା ଉପରେ ଆଲୋଚନା ହେବ।
ପ୍ରସ୍ତାବ ବିଫଳ ହୋଇଥିଲେ ମଧ୍ୟ ପରିଷଦରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧଖୋର ଆଚରଣକୁ ସଦସ୍ୟ ରାଷ୍ଟ୍ରମାନେ ନିନ୍ଦା କରି ନିଜର ପକ୍ଷ ରଖିଛନ୍ତି। ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଭୋଟ ପରେ କହିଛନ୍ତି, “ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ରୁଷ ସଂକଳ୍ପ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଦେଇପାରେ। କିନ୍ତୁ ଆମ ସ୍ୱର ଉପରେ କେବେ ହେଲେ ଭିଟୋ ପ୍ରୟୋଗ କରିପାରିବ ନାହିଁ।
ରୁଷ କେବେ ହେଲେ ସତ୍ୟ ଉପରେ ଭିଟୋ କରି ପାରିବ ନାହିଁ। ଆମ ନୀତି ଓ ୟୁକ୍ରେନ ଲୋକଙ୍କ ଉପରେ ଭିଟୋ ପ୍ରୟୋଗ କରିପାରିବ ନାହିଁ। ୟୁକ୍ରେନବାସୀଙ୍କ ପଛରେ ଆମେ ସବୁବେଳେ ରହିଛୁ।”
ରୁଷ ବର୍ତ୍ତମାନ ରୋଟେସନ ନୀତି ଅନୁଯାୟୀ ମିଳିତ ଜାତିସଂଘର ସଭାପତି ରହିଛି। ରୁଷର ସ୍ଥାୟୀ ସଦସ୍ୟ ଅଧ୍ୟକ୍ଷ ରହିଥିବା ବେଳେ ତାଙ୍କରି ଆଗରେ ଏପରି ପ୍ରସ୍ତାବ ଆସିଥିଲା।
ବ୍ରିଟେନ ରାଷ୍ଟ୍ରଦୂତ ବାରବରା ଉଡୱାର୍ଡ କହିଛନ୍ତି, “କୌଣସି ଭୁଲ କରନ୍ତୁ ନାହିଁ। ରୁଷ ବର୍ତ୍ତମାନ ଏକ ଘରକିଆ ହୋଇଛି। ୟୁକ୍ରେନ ଉପରେ ହମଲା କରିବା ପ୍ରସଙ୍ଗରେ କେହି ବି ରୁଷକୁ ସମର୍ଥନ କରୁନାହାନ୍ତି।” ରୁଷ ବିରୋଧୀ ପ୍ରସ୍ତାବ ଉପରେ ଭୋଟ ପୂର୍ବରୁ ଗ୍ରୀନଫିଲ୍ଡ ରୁଷର ଆକ୍ରମଣାତ୍ମକ ପଦକ୍ଷେପକୁ ତୀବ୍ର ନିନ୍ଦା କରିଥିଲେ।
ରୁଷର ଏପରି ପଦକ୍ଷେପ ଅନ୍ତର୍ଜାତୀୟ ନୀତି ଓ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଥିବା ସେ ମତ ରଖିଥିଲେ। ଭାରତ ମଧ୍ୟ ରୁଷର ଆକ୍ରମଣ ଦେଖି ବ୍ୟତିଥ ଥିବା ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମତ ରଖିଛି।
ଭାରତର ସ୍ଥାୟୀ ସଦସ୍ୟ ଟିଏସ ତିରୁମୂର୍ତ୍ତି କହିଛନ୍ତି, “ୟୁକ୍ରେନରେ ବର୍ତ୍ତମାନ ଘଟୁଥିବା ଘଟଣାରେ ଭାରତ ବ୍ୟତିଥ। ଲୋକଙ୍କ ଜୀବନକୁ ବଳିଦାନ ଦେଇ କେବେ ହେଲେ କୌଣସି ସଂକଳ୍ପ ଆସିପାରିବ ନାହିଁ। ସମସ୍ତ ପକ୍ଷ ନୀତି ନିୟମ ଅନୁସାରେ ଆଗକୁ ଗଠନମୂଳକ ପଦକ୍ଷେପ ନେବା ଦରକାର।
ଆଲୋଚନା ହିଁ ସମସ୍ତ ପ୍ରକାରର ବିବାଦ ଓ ତିକ୍ତତାକୁ ସମାଧାନ କରିପାରିବ। ହେଲେ ବର୍ତ୍ତମାନ ସ୍ଥିତିରେ ଏହା ସମ୍ଭବ ହୋଇପାରୁନି। ସାମାଧାନର ରାସ୍ତା ବାହାର କରିବା ପାଇଁ କୂଟନୀତିକ ଆଲୋଚନାରୁ ଦୂରେଇ ଯିବା ପରିତାପର ବିଷୟ। ଆମେ ପୁଣି କୂଟନୀତିକ ସ୍ତରକୁ ଫେରିବା ଦରକାର। ଭାରତ ଏଠାରେ ଆଗତ ସଂକଳ୍ପର ଭୋଟ ଦାନ କାର୍ଯ୍ୟରୁ ଆବଷ୍ଟେନ ରହିବାକୁ ନିଷ୍ପତ୍ତି ନେଇଛି।”
ଭାରତ ପୁଣିଥରେ ମିଳିତ ଜାତିସଂଘରେ ୟୁକ୍ରେନରେ ଫସିଥିବା ଭାରତୀୟ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
