ଦାଦାଙ୍କୁ ସାଇକେଲରୁ ଓହ୍ଲାଇ ଦେଲେ ପୁତୁରା, କହିଲେ- ଯେଉଁଠି ସମ୍ମାନ ମିଳୁଛି, ସେଠିକୁ ଯାଅ

ଲକ୍ଷ୍ନୌ: ଶିବସେନା ପରେ ଏବେ ସାମାଜବାଦୀ ପାର୍ଟିରେ ଫାଟ। ଦଳରୁ ଦାଦା ଶିବପାଲ ଯାଦବଙ୍କୁ ବିଦା କଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। କେବଳ ସେ ନୁହେଁ ଓମ୍ ପ୍ରକାଶ ରାଜଭରଙ୍କୁ ମଧ୍ୟ ବାହାର କରାଯାଇଛି। ଏହି ଖବର ଏବେ ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି।
ଆଜି ସମାଜବାଦୀ ପାର୍ଟି ଶିବପାଲ ସିଂହ ଯାଦବଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଶନିବାର ଏକ ଖୋଲା ଚିଠି ଲେଖି ଏଥିରେ ଶିବପାଲ ସିଂହ ଯାଦବ ଦେଇଥିବା ମନ୍ତବ୍ୟର ଉତ୍ତର ଦେଇଛି। ଚିଠିରେ ସମାଜବାଦୀ ପାର୍ଟି ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶିବପାଲ ଯେକୌଣସି ଦଳକୁ ଚାହିଁଲେ ଯାଇପାରିବେ। ଆପଣଙ୍କୁ ଯେଉଁଠି ଅଧିକ ସମ୍ମାନ ମିଳୁଛି ସେଠିକୁ ଯାଇପାରନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି।
କିଛି ଦିନ ତଳେ ଅଖିଳେଶ ଯାଦବ ତାଙ୍କୁ ସମ୍ମାନ ଦେଉନଥିବା ଅଭିଯୋଗ ଆଣିଥିଲେ ଶିବପାଲ ଯାଦବ। ଏବେ ସମାଜବାଦୀ ପାର୍ଟି ଶିବପାଲଙ୍କୁ ଚିଠି ଲେଖି ଏହାର ଜବାବ ଦେଇଛି। ଏହା ସହିତ ସମାଜବାଦୀ ପାର୍ଟି ତରଫରୁ ଓମପ୍ରକାଶ ରାଜଭରଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି। ଏଥିରେ ରାଜଭରଙ୍କୁ ଦଳ ଛାଡିବାକୁ ସ୍ପଷ୍ଟ ଭାବେ ସଙ୍କେତ ଦିଆଯାଇଛି।
ଚିଠିରେ ଲେଖାଯାଇଛି ଯେ, ଓମପ୍ରକାଶ ରାଜଭାରଜୀ, ସମାଜବାଦୀ ପାର୍ଟି କ୍ରମାଗତ ଭାବରେ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼ୁଛି। ହେଲେ ଭାରତୀୟ ଜନତା ପାର୍ଟି ସହିତ ଆପଣଙ୍କର ଏକ ମେଣ୍ଟ ଅଛି। ଆପଣ ବିଜେପିକୁ ମଜବୁତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଯଦି ଆପଣ ଅନୁଭବ କରଛନ୍ତି ଯେ, ସେଠାରେ ଆପଣଙ୍କୁ ଅଧିକ ସମ୍ମାନ ମିଳୁଛି, ତେବେ ଆପଣ ସେଠାକୁ ଯାଇପାରନ୍ତି।
— Samajwadi Party (@samajwadiparty) July 23, 2022
କହିରଖୁ ଯେ, ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସୁଭାସପା ବିଧାୟକ ଓମ୍ପ୍ରକାଶ ରାଜଭର ଓ ସପା ବିଧାୟକ ଶିପାଲ ସିଂହ ଯାଦବ ସମର୍ଥନ କରିଥିଲେ। ଦଳରୁ ଅଲଗା ହୋଇ ନିଜ ମନମୁତାବକ କାମ କରିଥିବାରୁ ଉଭୟଙ୍କୁ ଦଳରୁ ତଡି ଦିଆଯାଇଥିବା କୁହାଯାଉଛି।
ସାପାର ଏଭଳି ଚିଠି ପାଇବା ପରେ ଓମ ପ୍ରକାଶ ରାଜଭର ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ‘୨୪ ଘଣ୍ଟା ମଧ୍ୟରେ ସବୁ ସ୍ପଷ୍ଟ ହୋଇଯିବ। ଅଖିଲେଶ ଯାବନକ ଛାତ୍ରପଡକୁ ମୁଁ ସ୍ୱାଗତ କରୁଛନ୍ତି। ସେ ଆମର କୌଣସି କଥା ଶୁଣିଲେନି ସେଥିପାଇଁ ନିର୍ବାଚନରେ ହାରିଗଲେ। ଆମେ କାହାର ଗୋଲମ ନୁହଁ। ଆମେ ଖୁବଶୀଘ୍ର ନୂଆ ରଣନୀତିର ଘୋଷଣା କରିବୁ।’
ଅନ୍ୟପଟେ ସମାଜବାଦୀ ପାର୍ଟିର ଏଭଳି ଚିଠି ପରେ ଏବେ ବିଜେପି ସପା ଦଳକୁ ଟାର୍ଗେଟ କରିଛି। ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ କରି ଅଖିଳେଶଙ୍କୁ ଟାର୍ଗେଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଓମ୍ ପ୍ରକାଶ ରାଜଭର ଉତ୍ତରପ୍ରଦେଶର ଜହୁରାବାଦ ବିଧାନସଭାରୁ ବିଧାୟକ ଅଟନ୍ତି। ଏଥିସହ ସେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟନ୍ତି। ସେହିପରି ଶବପାଲ ସିଂହ ଯାଦବ ୨୦୨୨ ପୂର୍ବରୁ ପ୍ରଗତିଶୀଳ ସମାଜବାଦୀ ପାର୍ଟିକୁ ଭାଙ୍ଗି ଦେଇଥିଲେ। ପୁତୁରା ଅଖିଲେଶ ଯାଦବଙ୍କ ସହ ତିକ୍ତତା ଦୂର ହେବା ପରେ ସେ ସପାର ନିର୍ବାଚନ ଚିହ୍ନରେ ଜସୱନ୍ତପୁରରୁ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ ମଧ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।