ନିର୍ବାଚନ ଲଢ଼ିବ ନାହିଁ ସଂଯୁକ୍ତ କିଷାନ ମୋର୍ଚ୍ଚା

ଅମୃତସର: କୃଷି ଆଇନ ବିରୋଧରେ ସଂଘର୍ଷ କରି ସଫଳତା ହାସଲ କରିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ବଡ଼ ଘୋଷଣା କରାଯାଇଛି। ୩୨ଟି ଚାଷୀ ସଂଗଠନକୁ ନେଇ ଗଠିତ ଏହି ମୋର୍ଚ୍ଚା ନିଜର ହକ ପାଇଁ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ମୋର୍ଚ୍ଚା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି। ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୌଣସି ପ୍ରକାରର ଲଢ଼େଇ କରିବ ନାହିଁ। […]

SKM

Hemant Lenka
  • Published: Saturday, 25 December 2021
  • , Updated: 25 December 2021, 05:16 PM IST

ଅମୃତସର: କୃଷି ଆଇନ ବିରୋଧରେ ସଂଘର୍ଷ କରି ସଫଳତା ହାସଲ କରିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ବଡ଼ ଘୋଷଣା କରାଯାଇଛି। ୩୨ଟି ଚାଷୀ ସଂଗଠନକୁ ନେଇ ଗଠିତ ଏହି ମୋର୍ଚ୍ଚା ନିଜର ହକ ପାଇଁ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଚର୍ଚ୍ଚା ହେଉଥିଲା।

କିନ୍ତୁ ଆଜି ମୋର୍ଚ୍ଚା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି। ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୌଣସି ପ୍ରକାରର ଲଢ଼େଇ କରିବ ନାହିଁ। ସେହିପରି କୌଣସି ବ୍ୟାକ୍ତି କିମ୍ବା ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା କିମ୍ବା ଏହା ଅଧୀନରେ ଥିବା ୩୨ଟି ସଂଗଠନର ନାଁକୁ ନିଜ ପ୍ରଚାର ବେଳେ ବ୍ୟବହାର କରିପାରିବେ ନାହିଁ।

ନିର୍ବାଚନ ଠାରୁ ମୋର୍ଚ୍ଚା ଦୂରେଇ ରହିବ। ତେବେ ନିଜର ହକ ପାଇଁ ସବୁବେଳେ ସଂଘର୍ଷ କରିବ ବୋଲି ଆଜି ମୋର୍ଚ୍ଚା ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି।

ଏଥିରେ କୁହାଯାଇଛି ଯେ ମୋର୍ଚ୍ଚା ସବୁବେଳେ ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ କରିଛି। ରାଜନୀତିକ କରିବାକୁ କେବେ ହେଲେ ଇଚ୍ଛା ରଖିନି। ତେଣୁ ଚାଷୀନେତା ଓ ସଂଗଠନର ସଦସ୍ୟମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନାଁ ବ୍ୟବହାର କରି ନିର୍ବାଚନ ପାଇଁ କୌଣସି ପ୍ରକାରର ପ୍ରଚାର କରିବେ ନାହିଁ। ଯଦି କେହି ପଞ୍ଜାବରେ ମୋର୍ଚ୍ଚା କିମ୍ବା ୩୨ ସଂଗଠନର ନାଁ ନେଇ ନିର୍ବାଚନ ଲଢ଼ିବେ, ତା’ହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚାଷୀନେତା କିମ୍ବା କୌଣସି ସଂଗଠନ ନିଜ ପ୍ରୟାସରେ ନିର୍ବାଚନ ଲଢ଼ିଲେ, ମୋର୍ଚ୍ଚାର କୌଣସି ଅସୁବିଧା ନାହିଁ। ସରକାରଙ୍କ ଠାରୁ ଅଧିକାର ହାସଲ କରିବା ହିଁ ମୋର୍ଚ୍ଚାର ଏକମାତ୍ର ଲକ୍ଷ୍ୟ ଥିଲା। ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।

ଜାନୁଆରୀ ୧୫ରେ ମୋର୍ଚ୍ଚା ପକ୍ଷରୁ ବୈଠକ ବସିବ। ଏହି ସମୟରେ ଚାଷୀଙ୍କ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଅନ୍ୟପକ୍ଷରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବରିଷ୍ଠ ସଦସ୍ୟ ଗୁରନାମ ସିଂହ ଚଡୁନି ଡିସେମ୍ବର ୧୮ରେ ଗୋଟିଏ ରାଜନୀତିକ ଦଳ ଗଠନ କରିଛନ୍ତି। ସେ ଗଠନ କରିଥିବା ସଂଯୁକ୍ତ ସଂଘର୍ଷ ପାର୍ଟି ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନର ସମସ୍ତ ଆସନରେ ପ୍ରାର୍ଥୀ ଦେବ। କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦୀର୍ଘ ଗୋଟିଏ ବର୍ଷ ଧରି କରିଥିବା ଆନ୍ଦୋଳନ ବେଳେ ଗୁରନାମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ସରକାରଙ୍କ ସହ ଆଲୋଚନା କରିବା ପାଇଁ ମୋର୍ଚ୍ଚା ଗଠନ କରିଥିବା ୫ ଜଣିଆ କମିଟିରେ ମଧ୍ୟ ସେ ରହିଥିଲେ। ଗୁରୁନାମଙ୍କ ବ୍ୟତୀତ ଏହି କମିଟିରେ ଯୁଦ୍ଧବୀର ସିଂହ, ଅଶୋକ ଧୱାଲେ, ବଲବୀର ସିଂହ ରାଜେୱାଲ ଓ ଶିବ କୁମାର କାକ୍କା ରହିଥିଲେ।

Related story