ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି: ଗିରଫ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିବା ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଏହି ଅଭଦ୍ର ଟିପ୍ପଣୀ ପାଇଁ ତାଙ୍କୁ ଗିରଫ କରାଯିବା ଦାବିରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ଘଟଣାର ନିରପେକ୍ଷ ତଦନ୍ତ ଦାବି ମଧ୍ୟ ଦାବି କରାଯାଇଥିଲା। ହେଲେ ଏଥିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଜଣେ ମହିଳା ଆଇନଜୀବୀ ଏପରି ଆବେଦନ କରିଥିଲେ ଓ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ […]

Nupur

  • Published: Friday, 09 September 2022
  • , Updated: 09 September 2022, 09:45 PM IST

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିବା ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଏହି ଅଭଦ୍ର ଟିପ୍ପଣୀ ପାଇଁ ତାଙ୍କୁ ଗିରଫ କରାଯିବା ଦାବିରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ଘଟଣାର ନିରପେକ୍ଷ ତଦନ୍ତ ଦାବି ମଧ୍ୟ ଦାବି କରାଯାଇଥିଲା। ହେଲେ ଏଥିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ଜଣେ ମହିଳା ଆଇନଜୀବୀ ଏପରି ଆବେଦନ କରିଥିଲେ ଓ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଦେଇଥିବା ବୟାନର ବିସ୍ତୃତ ତଦନ୍ତ ପାଇଁ ଦାବି କରିଥିଲେ। ଆଜି ଏହି ଆବେଦନ ସିଜେଆଇ ଜଷ୍ଟିସ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଆଗରେ ଉପସ୍ଥାପନ କରାଯାଇଥିଲା। ହେଲେ ଖଣ୍ଡପୀଠ ଆବେଦନରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ଆବେଦକାରୀ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ ଯେ ଟି ପୁନାୱାଲା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହି ଘଟଣାରେ ମଧ୍ୟ କାର୍ଯ୍ୟକାରୀ କରାଯାଉ। ମନ ଲିଚିଂକୁ ରୋକିବା ପାଇଁ ପୁନାୱାଲା ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ନୂପୁରଙ୍କ ବିରୋଧରେ ଏକାଧିକ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଏଯାଏ କୌଣସି ପଦକ୍ଷେପ ନେଇନାହିଁ। ତେଣୁ ତାଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ କହିଥିଲେ।

ଏହାଶୁଣି ଖଣ୍ଡପୀଠ କହିଥିଲେ ଯେ “ଏହା ଶୁଶିବାକୁ ବହୁତ ସରଳ ଓ ସହଜ ଲାଗୁଛି। କିନ୍ତୁ ଏଥିରେ ସହମତି ହେବା ବେଶ କଷ୍ଟକର। ନିର୍ଦ୍ଦେଶ ଦେବା ବେଳେ କୋର୍ଟ ବେଶ ସତର୍କ ରହିବା ଉଚିତ। ଆମେ ଆପଣଙ୍କୁ ଆବେଦନ ପ୍ରତ୍ୟାହାର କରି ନେବାକୁ ପରାମର୍ଶ ଦେଉଛି।” ଏହାପରେ ଆବେଦନ ପ୍ରତ୍ୟାହାର ସହ ଆବେଦନ ଖାରଜ ହୋଇଯାଇଛି।

ଏହାପୂର୍ବରୁ ବିବାଦୀୟ ବୟାନ ପାଇଁ ନୂପୁର ଶର୍ମାଙ୍କ ନାଁରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟର ଭିନ୍ନ ଏକ ବେଞ୍ଚ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ। ଏହାର ବିଚାର ମଧ୍ୟ ଦିଲ୍ଲୀ ହାଇକୋର୍ଟ କରିବେ। ନୂପୁର ଶର୍ମାଙ୍କୁ ଆବଶ୍ୟକ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ମଧ୍ୟ କହିଥିଲେ।

ନୂପୁର ଶର୍ମା ଗୋଟିଏ ଟିଭି ବିତର୍କରେ ଭାଗନେଇ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅତ୍ୟନ୍ତ ଅଭଦ୍ର କଥା କହିଥିଲେ। ଏହାକୁ ନେଇ ଦେଶ ଭିତରେ ଓ ବାହାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ବିଜେପି ବାଧ୍ୟ ହୋଇ ନୂପୁର ଶର୍ମାଙ୍କୁ ଦଳରୁ ବିଦା କରିଥିଲା।

Related story