ବେଙ୍ଗାଲୁରୁ: ଖ୍ରୀଷ୍ଟମାସ ପାଳନ ବେଳେ ସ୍କୁଲରେ ଛାତ୍ରୀଛାତ୍ରୀଙ୍କୁ ମାଂସ ବାଣ୍ଟିବା ମହଙ୍ଗା ପଡ଼ିଲା। ଯାହା ଫଳରେ ସ୍କୁଲକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାରେ। ଏଠାକାର ସହରରେ ଥିବା ସେଣ୍ଟ ପଲ୍ ସ୍କୁଲରେ ଖ୍ରୀଷ୍ଟମାସ ସେଲିବ୍ରେସନ୍ ବେଳେ ପିଲାମାନଙ୍କୁ ଖାଇବା ପାଇଁ ମାଂସ ପରଷା ଯାଇଥିଲା। ଯେଉଁ କାରଣରୁ ବ୍ଲକ୍ ଶିକ୍ଷା ଅଧିକାରୀ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବ୍ଲକ୍ ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର ବିନା ଅନୁମତିରେ ଏଭଳି କରିଥିବା ଜଣାପଡ଼ିଛି।
ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି ବ୍ଲକ୍ ଶିକ୍ଷା ଅଧିକାରୀ କହିଛନ୍ତି ଯେ 'ଖ୍ରୀଷ୍ଟମାସ ସେଲିବ୍ରେସନ୍ ବେଳେ ଛାତ୍ରଛାତ୍ରୀଙ୍କୁ ମାଂସ ପରଷିବା ଶିକ୍ଷା ବିଭାଗ ଓ ସାଧାରଣ ଲୋକଙ୍କ ପାଇଁ ଲଜ୍ଜାଜନକ ଘଟଣା। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲକୁ ଖୋଲାଯାଇପାରିବ ନାହିଁ।' ତେବେ ଘଟଣା ଯେତେବେଳେ ଶିକ୍ଷା ବିଭାଗ ନଜରକୁ ଆସିଲା, ତୁରନ୍ତ ଏହି ନିର୍ଦ୍ଦେଶକୁ ବାତିଲ କରିଦିଆଗଲା।
ସ୍ଥାନୀୟ ଅଧିକାରୀ ଜିଲ୍ଲା କମିଶନର କିମ୍ବା ଶିକ୍ଷା ବିଭାଗକୁ ସୂଚିତ ନକରି ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କାରଣରୁ ଶିକ୍ଷା ବିଭାଗ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ଖାରଜ କରିବା ସହ ସ୍କୁଲକୁ ଜାରି ରଖିବାକୁ କହିଛନ୍ତି। ଶିକ୍ଷା ବିଭାଗ କହିଛି ଯେ ମାଂସାହାରୀ ଭୋଜନ ପରଷିବା ଯୋଗୁ ଆମେ କୌଣସି ଏକ ସ୍କୁଲକୁ ବନ୍ଦ କରିପାରିବା ନାହିଁ। ସେଥିପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଏହି ନିର୍ଦ୍ଦେଶକୁ ବାତିଲ କରାଯାଉଛି।
ଉକ୍ତ ସ୍କୁଲ ତା'ର ପିଲାମାନଙ୍କୁ ଜୋର ଜବରଦସ୍ତି ଖ୍ରୀଷ୍ଟ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ସହ ବାଇବଲକୁ ବିଶ୍ୱାସ କରିବା ପାଇଁ ସେମାନଙ୍କୁ ବାଧ୍ୟ କରୁଥିବା ପୂର୍ବରୁ ଦକ୍ଷିଣପନ୍ଥୀ ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିବା ସହ ଅଭିଯୋଗ ଆଣିଥିଲା।