ସିଦ୍ଧୁଙ୍କ ‘ବଡ଼ ଭାଇ’ ବୟାନକୁ ନେଇ ଘନଉଛି ବିବାଦ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ‘ପାକିସ୍ତାନ ଓ ଇମ୍ରାନ ଖାନ ପ୍ରେମ’କୁ ନେଇ ବିବାଦରେ ଫସିଛନ୍ତି। ଆଜି ପାକିସ୍ତାନର କର୍ତ୍ତାରପୁର ସାହିବରେ ପହଞ୍ଚି ଥିବା ସିଦ୍ଧୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ବଡ଼ ଭାଇ ବୋଲି କହିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସିଦ୍ଧୁଙ୍କୁ ପାକିସ୍ତାନ ଅଧିକାରୀମାନେ ସ୍ୱାଗତ କରିବା ଭଳେ ସେ ଇମ୍ରାନ ଖାନ ତାଙ୍କର ବଡ଼ ଭାଇ ଓ ସେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି […]

sidhu

Hemant Lenka
  • Published: Saturday, 20 November 2021
  • , Updated: 20 November 2021, 09:37 PM IST

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ 'ପାକିସ୍ତାନ ଓ ଇମ୍ରାନ ଖାନ ପ୍ରେମ'କୁ ନେଇ ବିବାଦରେ ଫସିଛନ୍ତି। ଆଜି ପାକିସ୍ତାନର କର୍ତ୍ତାରପୁର ସାହିବରେ ପହଞ୍ଚି ଥିବା ସିଦ୍ଧୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ବଡ଼ ଭାଇ ବୋଲି କହିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ସିଦ୍ଧୁଙ୍କୁ ପାକିସ୍ତାନ ଅଧିକାରୀମାନେ ସ୍ୱାଗତ କରିବା ଭଳେ ସେ ଇମ୍ରାନ ଖାନ ତାଙ୍କର ବଡ଼ ଭାଇ ଓ ସେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି କହୁଥିବା ଭିଡିଓକୁ ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟ୍ୱିଟ କରିଥିଲେ। ଏହାକୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ଏହାପରେ ଜଣଙ୍କ ପରେ ଜଣେ ନେତା ସିଦ୍ଧୁଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ତେବେ ସିଦ୍ଧୁ ବିଜେପିର ସବୁ ଅଭିଯୋଗକୁ ଧାଡ଼ିକିଆ ପ୍ରତିକ୍ରିୟାରେ କାଉଣ୍ଟର କରିବାକୁ ଚାହିଁଛନ୍ତି। ସେ ପାକିସ୍ତାନରୁ ଫେରିବା ପରେ ପଞ୍ଜାବର ଗୁରଦାସପୁରରେ ତାଙ୍କୁ ବଡ଼ ଭାଇ ବୟାନ ଉପରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ।

ଏହାର ଜବାବରେ ସେ କହିଛନ୍ତି, “ବିଜେପି ତା’ ଇଚ୍ଛା ଅନୁସାରେ ଯାହା କହିବାର କଥା କହୁ। ମୋର ଏଥିରେ କ’ଣ କରିବାର ଅଛି। ମୋର ନା ଦୋକାନ ଅଛି, ନା ବାଲି ଖଣି ଅଛି?”

ମାଲବ୍ୟ ଆଜି ଟ୍ୱିଟ କରି କହିଥିଲେ ଯେ “ରାହୁଲ ଗାନ୍ଧିଙ୍କ ସବୁଠାରୁ ଫେଭରାଇଟ ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଭାଇ କହିଛନ୍ତି। ଗତଥର ସେ ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ ବାଜୱାଙ୍କୁ ଆଲିଙ୍ଘନ କରିଥିଲେ। ଗାନ୍ଧି ପରିବାର ଭେଟରାନ ଅମରିନ୍ଦର ସିଂହଙ୍କ ବଦଳରେ ପାକିସ୍ତାନ ପ୍ରେମୀ ସିଦ୍ଧୁଙ୍କୁ ଚୟନ କରିଥିବାରୁ କ’ଣ କେହି ଆଶ୍ଚର୍ଯ୍ୟ ହେଉଛନ୍ତି?”


ଅନେକ ରାଜନେତା ମଧ୍ୟ ସିଦ୍ଧୁଙ୍କ ବଡ଼ ଭାଇ ବୟାନକୁ ସମାଲୋଚନା କରିଛନ୍ତି। ବିଜେପି ସାଂସଦ ଗୌତମ ଗମ୍ଭୀର କହିଛନ୍ତି, ପ୍ରଥମେ ନିଜର ପିଲାମାନଙ୍କୁ ସୀମାକୁ ଛାଡ଼ନ୍ତୁ। ତା’ ପରେ ଗୋଟିଏ ଆତଙ୍କବାଦୀ ଦେଶର ମୁଖ୍ୟଙ୍କୁ ବଡ଼ ଭାଇ ବୋଲି କୁହନ୍ତୁ। ଗତ ମାସରେ ପାକ ପ୍ରାୟୋଜିତ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ୪୦ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ ବୋଲି ସିଦ୍ଧୁ ମନେ ରଖଛନ୍ତି? ଆମେ ଦୀର୍ଘ ୭୦ ବର୍ଷ ହେଲାଣି ପାକିସ୍ତାନର ଆତଙ୍କବାଦ ସହ ଲଢ଼େଇ କରୁଛୁ ବୋଲି ଗମ୍ଭୀର କହିଛନ୍ତି।


ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, “ଗୃହ ବାହାରେ ଓ ଭିତରେ ଥିବା ସମସ୍ତ ସଦସ୍ୟ ସକାରାତ୍ମକ କଥା କହିବେ ବୋଲି ଆଶା କରାଯାଏ। ସମସ୍ତ ପ୍ରତିନିଧି ବିଶ୍ୱାସ ରଖିବା ଦରକାର ଯେ ଆମ ଦେଶ ସର୍ବଶ୍ରେଷ୍ଠ ଓ ଆମ ଦେଶ ଠାରୁ କୌଣସି ରାଷ୍ଟ୍ର ଉପରେ ନୁହେଁ।”

ଅକାଳୀ ଦଳ ନେତା ଦଲଜିତ ଚେମା ଓ ବିଜେପି ମୁଖପାତ୍ର ଗୌରବ ଗୋୟଲ ଏବଂ ସମ୍ବିତ ପାତ୍ର ମଧ୍ୟ ସିଦ୍ଧୁଙ୍କୁ ପାକିସ୍ତାନ ପ୍ରେମୀକୁ ସମାଲୋଚନା କରିଛନ୍ତି। କଂଗ୍ରେସ ସାଂସଦ ମନୀଷ ତିୱାରୀ ମଧ୍ୟ ସିଦ୍ଧୁଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି।

Related story