କଂଗ୍ରେସର ଚିନ୍ତା ବଢ଼ିଲା: ନିଜ ସରକାରଙ୍କୁ ଅନଶନର ଧମକ ଦେଲେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ପୁଣିଥରେ ଦଳ ଅଡ଼ୁଆରେ ପଡ଼ିଛି। ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ସିଦ୍ଧୁ ନିଜର ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ବିରୋଧରେ ମତ ରଖି ଚାଲିଛନ୍ତି। ସ୍ଥିତି ଏପରି ହୋଇଛି ଯେ ସିଦ୍ଧୁ ଏବେ କଂଗ୍ରେସ ସରକାରଙ୍କ ବିରୋଧ ଆମରଣ ଅନଶନ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଯଦି ସରକାର ରାଜ୍ୟରେ ଚାଲିଥିବା ଡ୍ରଗ୍ସ କାରବାରର ତଦନ୍ତ ରିପୋର୍ଟ ଓ ୨୦୧୫ ମସିହା […]

Sidhu

Hemant Lenka
  • Published: Thursday, 25 November 2021
  • , Updated: 25 November 2021, 07:00 PM IST

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ପୁଣିଥରେ ଦଳ ଅଡ଼ୁଆରେ ପଡ଼ିଛି। ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ସିଦ୍ଧୁ ନିଜର ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ବିରୋଧରେ ମତ ରଖି ଚାଲିଛନ୍ତି। ସ୍ଥିତି ଏପରି ହୋଇଛି ଯେ ସିଦ୍ଧୁ ଏବେ କଂଗ୍ରେସ ସରକାରଙ୍କ ବିରୋଧ ଆମରଣ ଅନଶନ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଯଦି ସରକାର ରାଜ୍ୟରେ ଚାଲିଥିବା ଡ୍ରଗ୍ସ କାରବାରର ତଦନ୍ତ ରିପୋର୍ଟ ଓ ୨୦୧୫ ମସିହା ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ରକରଣ ଘଟଣାର ରିପୋର୍ଟ ନ ପ୍ରକାଶ କରିବେ, ତା’ହେଲେ ସିଦ୍ଧୁ ଅନଶନ ଆରମ୍ଭ କରିବେ ବୋଲି ଆଜି ଧମକ ଦେଇଛନ୍ତି।

କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ଡ୍ରଗ୍ସ କାରବାର ବିରୋଧରେ ସେ କୌଣସି ପ୍ରକାରର ପଦକ୍ଷେପ ନେଉ ନଥିବା ସିଦ୍ଧୁ ଅନେକ ସମୟରେ କହିଥିଲେ। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟ ହୋଇଥିଲା। ଶେଷରେ କ୍ୟାପ୍ଟେନ ମୁଖ୍ୟମନ୍ତ୍ରୀ ପଦ ସହ କଂଗ୍ରେସକୁ ଅଲବିଦା କହିଛନ୍ତି। ଏବେ ସିଦ୍ଧୁ ନୂଆ ମୁଖ୍ୟମନ୍ତ୍ରୀ  ଚନ୍ନିଙ୍କୁ ମଧ୍ୟ ଡ୍ରଗ୍ସ ପ୍ରସଙ୍ଗରେ ଘେରିଛନ୍ତି।

ସେ କହିଛନ୍ତି, “ପଞ୍ଜାବକୁ ଡ୍ରଗ୍ସ ମୁକ୍ତ କରିବା ନାରା ସହ କଂଗ୍ରେସ କ୍ଷମତାକୁ ଆସିଥିଲା। ଯଦି ସରକାର ଡ୍ରଗ ସଂକ୍ରାନ୍ତ ରିପୋର୍ଟ ସାର୍ବଜନୀନ କରିବେ ନାହିଁ, ତା’ହେଲେ ମୁଁ ଆମରଣ ଅନଶନ କରିବି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କାହିଁକି ଡ୍ରଗ ରିପୋର୍ଟକୁ ଚାପି ରଖିଥିଲେ, ସେକଥା ଆମେ ଜାଣିବାକୁ ଚାହୁଁଛୁ।

ବର୍ତ୍ତମାନର ସରକାର ତୁରନ୍ତ ଉକ୍ତ ରିପୋର୍ଟକୁ ସାର୍ବଜନୀନ କରନ୍ତୁ। କୋର୍ଟ ରିପୋର୍ଟ ସାର୍ବଜନୀନ କରିବାକୁ ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରକାରର କଟକଣା ଲଗାଇ ନାହାନ୍ତି। ତେଣୁ ରିପୋର୍ଟ ବିଷୟରେ ଲୋକଙ୍କୁ ଅବଗତ କରାଯିବାରେ ଅସୁବିଧା କେଉଁଠି?”

ତଦନ୍ତକାରୀ ସଂସ୍ଥା ଡ୍ରଗ୍ସ କାରବାର ସଂକ୍ରାନ୍ତ ରିପୋର୍ଟକୁ ବନ୍ଦ ଲଫାପାରେ ହାଇକୋର୍ଟଙ୍କୁ ପ୍ରଦାନ କରିଛନ୍ତି। କିନ୍ତୁ ସିଦ୍ଧୁ ତଦନ୍ତ ବେଳେ କ’ଣ ସବୁ ମିଳିଛି, ସେକଥା ଲୋକଙ୍କୁ ଜଣାଇବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଚନ୍ନି ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ସିଦ୍ଧୁ ତାଙ୍କୁ ପ୍ରତି ପ୍ରସଙ୍ଗରେ ଘେରିବାରେ ଲାଗିଛନ୍ତି। ପ୍ରଥମେ ଆଡଭୋକେଟ ଜେନାରାଲ ଓ ଡିସିପିଙ୍କ ନିଯୁକ୍ତକୁ ନେଇ ସିଦ୍ଧୁ ଆପତ୍ତି ଉଠାଇ ବିବାଦ ସୃଷ୍ଟି କରିଥିଲେ। ଏହାପରେ ବାଲି ମାଫିଆ ଘଟଣାରେ ଚନ୍ନି ମିଛ କହୁଥିବା ସିଦ୍ଧୁ ସର୍ବସମ୍ମୁଖରେ କହିଥିଲେ। ଏସବୁ ଭିତରେ ଏବେ ଡ୍ରଗ୍ସ ଓ ଅପବିତ୍ରକରଣ ଘଟଣା ନୂଆ ଅଡ଼ୁଆ ସୃଷ୍ଟି କରିଛି।

Related story