କରୋନା ଟିକାର ସଙ୍କଟ ପାଇଁ କେନ୍ଦ୍ରକୁ ଏମିତି କହିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ଅଭିଯୋଗ ଆସିଛି। ଏସବୁ ଭିତରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ଦଳ କ୍ଷମତାରେ ଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସୋନିଆ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଟେଷ୍ଟ, ଟ୍ରାକ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ […]

sonia-Gandhi

Hemant Lenka
  • Published: Saturday, 10 April 2021
  • , Updated: 10 April 2021, 03:22 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ଅଭିଯୋଗ ଆସିଛି। ଏସବୁ ଭିତରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ଦଳ କ୍ଷମତାରେ ଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ବୈଠକ କରିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସୋନିଆ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଟେଷ୍ଟ, ଟ୍ରାକ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କରୋନା ଟିକାର ଉପଲବ୍ଧି, ସମସ୍ତଙ୍କୁ ଔଷଧ ଓ ଭେଣ୍ଟିଲେଟର ମିଳୁଛି କି ନାହିଁ, ତା’ର ମଧ୍ୟ ସମୀକ୍ଷା କରିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଛନ୍ତି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେକଥା ମଧ୍ୟ ସୋନିଆ ପଚାରି ବୁଝିଛନ୍ତି।

ଏହି ବୈଠକରେ ରାହୁଲ ଗାନ୍ଧି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମକୁ ଠିକ ଭାବେ ପରିଚାଳନା କରିପାରୁ ନଥିବା ସୋନିଆ ବୈଠକରେ ମତ ଦେଇଛନ୍ତି।

ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, “ମୋଦି ସରକାର ସ୍ଥିତି ଠିକ୍‌ ଭାବେ ପରିଚାଳନା କରିପାରୁନାହାନ୍ତି। ସରକାର ବିଦେଶୀକୁ ଟିକା ରପ୍ତାନୀ କରୁଛନ୍ତି। ଏହି କାରଣ ପାଇଁ ଭାରତରେ ଟିକାର ସଙ୍କଟ ଦେଖାଦେଇଛି। ରାଜନୀତିକ ଓ ଧାର୍ମିକ ସମାବେଶ ପାଇଁ କରୋନା ସଂକ୍ରମଣ ବଢ଼ୁଛି। ଏଥିପାଇଁ ଆମେ ମଧ୍ୟ କିଛି ଅଂଶରେ ଦାୟୀ।


ଏହାକୁ ଆମକୁ ଗ୍ରହଣ କରି ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପଡ଼ିବ। କାରଣ ସମସ୍ତଙ୍କ ଠାରୁ ଉପରେ ହେଉଛି ଦେଶ। କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ରାଜନୀତିକ ଓ ଅନ୍ୟାନ୍ୟ ସମାବେଶକୁ ଯଥା ସମ୍ଭବ ବାତିଲ କରିବାକୁ ହେବ। ସେହିପରି କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ପ୍ୟାକେଜ୍‌ ଲୋକଙ୍କ ଉପରେ କ’ଣ ପ୍ରଭାବ ପକାଇଛି, ତା’ର ତଦାରଖ ମୁଖ୍ୟମନ୍ତ୍ରୀମାନେ କରିବା ଉଚିତ।”

ବୈଠକରେ ରାହୁଲ ଗାନ୍ଧି ମଧ୍ୟ କରୋନା ଭାଇରସ ଗରିବ ଓ ପଛୁଆ ବର୍ଗର ଲୋକଙ୍କୁ ଅଧିକ ପ୍ରଭାବିତ କରୁଥିବାରୁ ଚିନ୍ତା ପ୍ରକଟ କରିଥିବା ସୂର୍ଯ୍ୟେୱାଲା ସୂଚନା ଦେଇଛନ୍ତି।

Related story