ମାଣ୍ଡ୍ୟ(କର୍ଣ୍ଣାଟକ): କର୍ଣ୍ଣାଟକରେ ହିଜାବକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗୀନ ହେଉଛି । କଲେଜ କୁ କଲେଜ ବ୍ୟାପୁଛି ଏହି ବିବାଦ। ଗୋଟିଏ ଗୋଷ୍ଠୀ ହିଜାବ ପିନ୍ଧି କଲେଜ ଆସିବାକୁ ଜିଦ ଧରିଥିବା ବେଳେ ଅନ୍ୟ ଏକ ଗୋଷ୍ଟୀର ଛାତ୍ରୀଛାତ୍ରମାନେ ଗେରୁଆ ସ୍କାର୍ପ ପନ୍ଧି ଆସିବାକୁ ଦାବି କରିଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି କର୍ଣ୍ଣାଟକର ମାଣ୍ଡବ୍ୟରେ ଥିବା ଏକ କଲେଜରେ ଜଣେ ମୁସଲିମ ଛାତ୍ରୀ ବୁର୍ଖା ପିନ୍ଧି କଲେଜ ଆସିଥିବା ବେଳେ କିଛି ଛାତ୍ର ତାଙ୍କୁ ବିରୋଧ କରି ବାଧା ସୃଷ୍ଟି କରିଥିଲେ। ବିରୋଧ କରୁଥିବା ଛାତ୍ରମାନେ ଗେରୁଆ ରଙ୍ଗର ସ୍କାର୍ପ ପକାଇ ବିଭିନ୍ନ ସ୍ଲୋଗାନ ଦେଉଥିବା ଲକ୍ଷ କରାଯାଇଛି।
ଗତ କିଛି ଦିନ ଧରି ଏହାକୁ ନେଇ କର୍ଣ୍ଣାଟକରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଥିବା ବେଳେ ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ସମ୍ପୃକ୍ତ ଯୁବତୀଙ୍କୁ ବିରୋଧ ହେଉଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ଯୁବତୀ ଜଣକ ନିଜ ସ୍କୁଟି ପାର୍କିଂ କରି କଲେଜ ବିଲଡିଂ ଆଡ଼କୁ ଅଗ୍ରସର ହେଉଥିବା ସମୟରେ କିଛି ଛାତ୍ର ଆସି ତାଙ୍କୁ ଘେରି ଯାଇ ବିରୋଧ କରିଥିଲେ। ତେବେ ଏହି ସମୟରେ କଲେଜର କିଛି କର୍ମଚାରୀ ଆସି ଏହି ଘଟଣାକୁ ଅଟକାଇବା ସହ ଯୁବତୀ ଜଣଙ୍କୁ ଏସକଟ୍ କରି ନେଇ ଯାଉଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଉଡ଼ୁପିର ମହାତ୍ମାଗାନ୍ଧୀ ମେମୋରିଆଲ କଲେଜରେ ଗୋଟିଏ ଗୋଷ୍ଟୀ ହିଜାବ ପିନ୍ଧି ସ୍ଲୋଗାନ ପକାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ରଙ୍ଗର ସ୍କାର୍ପ ପନ୍ଧି ନାରାବାଜି ପକାଇଥିଲେ।ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ଉଦ୍ୟମ କରିଥିଲା।
ମାମଲା କର୍ଣ୍ଣାଟକ ହାଇକୋର୍ଟରେ ପହଞ୍ଚିଥିବା ବେଳେ ଆଜି ଏହାର ଶୁଣାଣି ହୋଇଛି । କଲେଜ ହିଜାବ ପ୍ରତିବନ୍ଧକକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଛନ୍ତି ଯେ, ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ ଆମେ ତାହା କରିବୁ। ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍ ଗୀତା। ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ୍ କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ, ୟୁନିଫର୍ମ ସ୍ଥିର କରିବା କଲେଜଗୁଡିକର କାମ। ଯେଉଁ ଛାତ୍ରଛାତ୍ରୀମାନେ ଏଥିରୁ ଆରାମ ଚାହୁଁଛନ୍ତି, ସେମାନେ କଲେଜ ବିକାଶ କମିଟି ନିକଟକୁ ଯାଇପାରିବେ।
ସୂଚନା ଅନୁଯାୟୀ, ପ୍ରଥମେ କର୍ଣ୍ଣାଟକର ପିୟୁ ସରକାରୀ ମହିଳା ମହାବିଦ୍ୟାଳୟରେ ହିଜାବ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଠି ୬ ଜଣ ଛାତ୍ରୀ ହିଜାବ ପକାଇ ଆସିଥିବା ବେଳେ ସେମାନଙ୍କୁ କ୍ଲାସ ରୁମରେ ପ୍ରତିବନ୍ଧକ ଲାଗାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।