୩ ବର୍ଷ ପରେ ଜେଲରୁ ବାହାରିଲେ ସାମାଜିକ କର୍ମୀ ସୁଧା ଭରଦ୍ୱାଜ

ନୂଆଦିଲ୍ଲୀ: ଏଲଗାର ପରିଷଦ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ ୩ ବର୍ଷ ପରେ ଆଜି ମୁକୁଳିଛନ୍ତି। ବମ୍ବେ ହାଇକୋର୍ଟରୁ ସୁଧାଙ୍କୁ ପୂର୍ବରୁ ଜାମିନ ମିଳିଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ଏନ୍‌ଆଇଏ ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ ଏହି ଆବେଦନକୁ ଦୁଇ ଦିନ ପୂର୍ବେ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ। ‘ଆମେ ହାଇକୋର୍ଟ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବା ନେଇ କୌଣସି କାରଣ ଦେଖିବାକୁ ପାଉନୁ। ତେଣୁ […]

790

Tapas Behera
  • Published: Thursday, 09 December 2021
  • , Updated: 09 December 2021, 02:08 PM IST

ନୂଆଦିଲ୍ଲୀ: ଏଲଗାର ପରିଷଦ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ ୩ ବର୍ଷ ପରେ ଆଜି ମୁକୁଳିଛନ୍ତି।

ବମ୍ବେ ହାଇକୋର୍ଟରୁ ସୁଧାଙ୍କୁ ପୂର୍ବରୁ ଜାମିନ ମିଳିଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ଏନ୍‌ଆଇଏ ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ ଏହି ଆବେଦନକୁ ଦୁଇ ଦିନ ପୂର୍ବେ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ।

‘ଆମେ ହାଇକୋର୍ଟ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବା ନେଇ କୌଣସି କାରଣ ଦେଖିବାକୁ ପାଉନୁ। ତେଣୁ ଆବେଦନ ଗ୍ରହଣୀୟ ନୁହେଁ’, ବୋଲି ଜଷ୍ଟିସ ୟୁ ୟୁ ଲଲିତ୍‌, ଏସ୍‌ଆର ଭଟ୍ଟ ଏବଂ ବେଲା ଏମ ତ୍ରିଭେଦୀ ତାଙ୍କ ଖଣ୍ଡପୀଠରେ କହିଛନ୍ତି । ତେଣୁ ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତ କରାଯାଉ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଗତକାଲି ଏନଆଇ କୋର୍ଟରୁ ସର୍ତ୍ତମୂଳକ ଜାମିନ ନେଇ ସ୍ପଷ୍ଟ ହେବା ପରେ ସୁଧା ଆଜି ବାଇକୁଲା ମହିଳା ଜେଲରୁ ମୁକୁଳିଛନ୍ତି । ସୁଧାଙ୍କ ମାମଲାକୁ ପୂର୍ବରୁ ପୁଣେ ପୁଲିସ ପରିଚାଳନା କରୁଥିଲା।  ପରବର୍ତ୍ତୀ ସମୟରେ ଏହା ଏନଆଇଏକୁ ହସ୍ତାନ୍ତର ହୋଇଥିଲା। ପୂର୍ବରୁ ସୁଧାଙ୍କୁ ପୁଣେରେ ୟେରୱାଡ଼ା ଜେଲରେ ରଖାଯାଇଥିଲା। ପରେ ତାଙ୍କୁ ବାଇକୁଲା ମହିଳା ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ମାମଲାଟି ବର୍ତ୍ତମାନ ସୁଦ୍ଧା ବିଚରାଧୀନ ରହିଛି। ତେବେ ଏନ୍‌ଆଇଏ କୋର୍ଟ ଦେଇଥିବା ସର୍ତ୍ତମୂଳକ ଜାମିନରେ ୬୦ ବର୍ଷୀୟ ସୁଧାଙ୍କ ପାସପୋର୍ଟ ଦାଖଲ ପାଇଁ କୁହାଯାଇଥିବା ବେଳେ ମୁମ୍ବାଇରେ ରହିବାକୁ କୁହାଯାଇଛି। ମୁମ୍ବାଇ ଛାଡ଼ିବାକୁ ହେଲେ ତାଙ୍କୁ କୋର୍ଟ ଅନୁମତି ଆବଶ୍ୟକ ବୋଲି କୁହାଯାଇଛି। ଏମିତିକି ସେ ଗଣମାଧ୍ୟମ ସହ ଆଲୋଚନା କରିବାକୁ କଟକଣା ଲଗାଯାଇଛି।

ଏହି ବେଲକୁ ଏନଆଇଏର ଓକିଲ ବିରୋଧ କରିଥିଲେ ସୁଦ୍ଧା ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସୁଧାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଗତ ଅଗଷ୍ଟ ୨୦୧୮ରେ ସୁଧାଙ୍କୁ ଗିରଫ କରାଯାଇଥିଲା। ପରେ ୨୦୧୮ ଅକ୍ଟୋବର ୨୭ରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଏଲଗାର ପରିଷଦ କନ୍‌କ୍ଲେଭ୍‌ରେ ହିଂସା ସୃଷ୍ଟିକାରୀ ଭାଷଣ ଦେବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା, ଯାହାକୁ ନେଇ  କୋରିଗାଁଓ-ଭୀମ ନଗରରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି କନକ୍ଲେଭ ଆୟୋଜନ ପଛରେ ମାଓବାଦୀଙ୍କ ଲିଙ୍କ୍ ଥିବା ନେଇ ମଧ୍ୟ ପୁଲିସ ମାମଲା ରୁଜୁ କରିଥିଲା।

Related story