କରୋନା ମୃତକଙ୍କ ପରିବାରବର୍ଗଙ୍କୁ ମିଳୁନି ଆର୍ଥିକ ସହାୟତା, ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତାଗିଦ ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ମଧ୍ୟ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପକ୍ଷରୁ ଠିକଣା ସମୟରେ ଆର୍ଥିକ ସହାୟତା ମିଳୁନି। ଏହାକୁ ନେଇ ଆଜି ରାଜ୍ୟଗୁଡ଼ିକ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ରାଜ୍ୟଗୁଡ଼ିକ ମୃତକଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପଦକ୍ଷେପ ନିଅନ୍ତୁ ଓ ଯଥାଶୀଘ୍ର ଆର୍ଥିକ ସହାୟତା ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ଆର୍ଥିକ […]

sc

Hemant Lenka
  • Published: Wednesday, 19 January 2022
  • , Updated: 19 January 2022, 07:53 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତାଗିଦ ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ମଧ୍ୟ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପକ୍ଷରୁ ଠିକଣା ସମୟରେ ଆର୍ଥିକ ସହାୟତା ମିଳୁନି। ଏହାକୁ ନେଇ ଆଜି ରାଜ୍ୟଗୁଡ଼ିକ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ରାଜ୍ୟଗୁଡ଼ିକ ମୃତକଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପଦକ୍ଷେପ ନିଅନ୍ତୁ ଓ ଯଥାଶୀଘ୍ର ଆର୍ଥିକ ସହାୟତା ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଗତବର୍ଷ ସୁପ୍ରିମକୋର୍ଟ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଏହି ସମୟରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିବାର ୩୦ ଦିନ ମଧ୍ୟରେ ସେମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସତ୍ତ୍ୱେ ମଧ୍ୟ ଅଧିକାଂଶ ରାଜ୍ୟର ସରକାରମାନେ କରୋନା କ୍ଷତିଗ୍ରସ୍ତଙ୍କୁ ଠିକଣା ସମୟରେ ଆର୍ଥିକ ସହାୟତା ଦେଇ ନାହାନ୍ତି। ଏଥିପାଇଁ ଆଜି ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ରାଜ୍ୟଗୁଡ଼ିକୁ ରିପୋର୍ଟ ତଲବ କରିଛନ୍ତି। ପୂରା ଘଟଣା ସମ୍ପର୍କରେ ରାଜ୍ୟ ସରକାରମାନେ ଫେବୃଆରୀ ୪ ସୁଦ୍ଧା ସତ୍ୟପାଠ ଦାଖଲ କରିବେ। ଫେବୃଆରୀ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆଜି ଶୁଣାଣି ବେଳେ ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଅଧିକାରମାନେ ପହଞ୍ଚନ୍ତୁ। ୨୦୦୨ ଗୁଜରାଟ ଭୂକମ୍ପ ବେଳେ ଯେଉଁଭଳି ଭାବେ ପୀଡ଼ିତଙ୍କ ପରିବାରବର୍ଗଙ୍କ ପଞ୍ଜୀକରଣ କରାଯାଇଥିଲା ଓ ଆର୍ଥିକ ସହାୟତା ଦିଆଯାଇଥିଲା, ଏବେ ସେଭଳି ପଦକ୍ଷେପ ନିଆଯାଉ।

କରୋନା ଯୋଗୁ ଅନେକ ପିଲା ଅନାଥ ହୋଇଛନ୍ତି। ସେମାନେ ଆର୍ଥିକ ସହାୟତା ପାଇଁ ଆବେଦନ ପତ୍ର ଦାଖଲ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେଭଳି ପିଲାଙ୍କ ପାଖରେ ପହଞ୍ଚିବାକୁ ପ୍ରଶାସନ ଉଦ୍ୟମ କରୁ। ପିଲାମାନେ ଯେମିତି ସହାୟତା ପାଇବେ, ସେଥିପ୍ରତି ସରକାର ଅଧିକ ଯତ୍ନବାନ ହେବା ଦରକାର। ଏଥିସହ ଖଣ୍ଡପୀଠ ଆଧାର କାର୍ଡ ଓ ଏସଏମସ୍‌ ଦ୍ୱାରା ପୀଡ଼ିତଙ୍କ ପାଖରେ ପହଞ୍ଚିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆନ୍ଧ୍ର ପ୍ରଦେଶରେ ସବୁଠାରୁ କମ ସଂଖ୍ୟକ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ଏଥିପାଇଁ ସୁପ୍ରିମକୋର୍ଟ ଆନ୍ଧ୍ରର ମୁଖ୍ୟ ସଚିବଙ୍କୁ ନୋଟିସ କରିଛନ୍ତି।

Related story