ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ମାମଲାରେ ଶକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ। କଡା କାର୍ଯ୍ୟାନୁଷ୍ଟାନ କରିବାକୁ ସିଧାସଳଖ ଦେଇଛନ୍ତି ନିର୍ଦ୍ଦେଶ। ଏକ ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ହୋଇଥିବା ଆବେଦନ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିଭି ଚ୍ୟାନଲେ ଓ ଆଙ୍କରମାନଙ୍କ କାର୍ଯ୍ୟକ୍ରମକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଶି କରିଥିବା ବିଚାରପତି କେ.ଏମ୍ ଜୋସେଫ କହିଛନ୍ତି, ଘୃଣା ସୃଷ୍ଟିକାରୀ ଭାଷଣ ସମାଜ ପାଇଁ ବଡ଼ ବିପଦ । ଭାରତରେ ଏକ ମୁକ୍ତ ଓ ସନ୍ତୁଳିତ ପ୍ରେମର ଆବଶ୍ୟକତା ରହିଛି। ଆଜିକାଲି ସବୁକିଛି ଟିଆରପି ଦ୍ୱାରା ପରିଚାଳିତ ହେଉଛି ଏବଂ ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି । ଏଭଳି କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଘୃଣାର ପ୍ରଚାର ପ୍ରସାର କରୁଥିବା ଆଙ୍କରମାନଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଗଣମାଧ୍ୟମ ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିପାରିବ ନାହିଁ ବୋଲି କଡ଼ା ଭାଷାରେ କହିବା ସହ ଖବରକାଗଜ ତୁଳନାରେ ଟିଭି ଚ୍ୟାନେଲ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ଜଷ୍ଟିସ୍ ଜୋସେଫ କହିଛନ୍ତି। ଟେଲିଭିଜନରେ ଦେଖାଯାଉଥିବା ଦୃଶ୍ୟ କାରଣରୁ ସମାଜରେ ବିଭାଜନ ସୃଷ୍ଟି ହେଉଛି। ଦର୍ଶକମାନେ ମଧ୍ୟ ଏଭଳି ବିଷୟବସ୍ତୁ ଦେଖିବା ପାଇଁ ସମ୍ପୂର୍ଣ୍ଣ ପରିପକ୍ୱ ବୋଲି ଜଷ୍ଟିସ୍ ଜୋସେଫ କହିଛନ୍ତି।
ସେ ଆହୁରି କହିଛନ୍ତି, ଏକ ଲାଇଭ କାର୍ଯ୍ୟକ୍ରମର ନିରପେକ୍ଷତାର ଚାବି ଆଙ୍କରଙ୍କ ହାତରେ ରହିଥାଏ। ଯଦି ଆଙ୍କର ନିରପେକ୍ଷ ନୁହଁନ୍ତି, ତା’ ହେଲେ ସେ କୌଣସି ଏକ ପକ୍ଷକୁ ପ୍ରୋଜେକ୍ଟ କରିବାକୁ ଚାହିଁବେ ଏବଂ ଅନ୍ୟପକ୍ଷକୁ ମ୍ୟୁଟ୍ କରିବେ, ଯାହା ପକ୍ଷପାତିତାର ପ୍ରତୀକ। ତେଣୁ ଏଭଳି ଆଙ୍କରଙ୍କୁ ହଟାଇବା ଦରକାର ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଚାରପତି ଜୋସେଫ କହିଛନ୍ତି।
ନିକଟରେ ଏୟାରଇଣ୍ଡିଆ ବିମାନରେ ଘଟିଥିବା ପରିସ୍ରା କାଣ୍ଡକୁ ନେଇ କିଛି ଟିଭି ଚ୍ୟାନେଲ ଅଭିଯୁକ୍ତଙ୍କ ବିରୋଧରେ କଟୁ ଭାଷାର ପ୍ରୟୋଗ କରିଥିଲେ। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଣେ ବ୍ୟକ୍ତିର ସମ୍ମାନର ଅଧିକାରଙ୍କୁ ଆଙ୍କରମାନେ ଏଭଳି ଅସମ୍ମାନ କରିପାରିବେ ନାହିଁ ବୋଲି କୋର୍ଟ ସଫା ସଫା ଶୁଣାଇ ଦେଇଛନ୍ତି।
ଅନ୍ୟପଟେ ଦିଲ୍ଲୀ ଧର୍ମ ସଂସଦରେ ହୋଇଥିବା ହେଟ୍ ସ୍ପିଚ୍ ମାମଲାରେ ସୁପ୍ରିମକୋର୍ଟ ପୁଲିସ ଉପରେ ଜୋରଦାର ବର୍ଷିଛନ୍ତି। କୋର୍ଟ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଧର୍ମ ସଂସଦ ୨୦୨୧ ଡିସେମ୍ବର ୧୯ରେ ହୋଇଥିଲା। ଏହାର ପାଞ୍ଚ ମାସ ପରେ କାହିଁକି ଏଫ୍ଆଇଆର୍ ରୁଜୁ କରାଗଲା ବୋଲି ପୁଲିସକୁ ସୁପ୍ରିମକୋର୍ଟ ପ୍ରଶ୍ନ ପଚାରିଛନ୍ତି।
ଏଫ୍ଆଇଆର୍ ରୁଜୁ ହେବାର ୮ ମାସ ପରେ ମଧ୍ୟ ତଦନ୍ତ କେତେବାଟ ଆଗେଇଛି? କେତେ ଲୋକଙ୍କୁ ଗିରଫ କରାଯାଇଛି ଓ କେତେ ଲୋକଙ୍କୁ ପଚରାଉଚରା କରାଯାଇଛି? ଏସବୁର ଉତ୍ତର ଦାଖଲ ପାଇଁ କୋର୍ଟ ଦୁଇ ସପ୍ତାହ ମଧ୍ୟରେ ପୁଲିସକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।