ହାଇଦ୍ରାବାଦ: ମଝି ଆକାଶରେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଲେ। ତେବେ ବିମାନରେ ଥିବା ତେଲେଙ୍ଗାନା ରାଜ୍ୟପାଳ ଦେଖାଇଲେ ମାନବିକତା। ନିଜେ ଜଣେ ଡାକ୍ତର ହୋଇଥିବାରୁ ସମ୍ପୃକ୍ତ ଯାତ୍ରୀଙ୍କୁ ଚିକିତ୍ସା କରି ତାଙ୍କ ଜୀବନ ବଞ୍ଚାଇଦେଇଛନ୍ତି। ଶନିବାର ଦିଲ୍ଲୀ-ହାଇଦ୍ରାବାଦ ବିମାନରେ ଏମିତି ଏକ ଚର୍ଚ୍ଚିତ ଘଟଣା ଘଟିଛି। ରାଜନୀତିରେ ପ୍ରବେଶ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ତମଲିସାଇ ସୌନ୍ଦରାରାଜନ ଜଣେ ଡାକ୍ତର ଥିଲେ। ସେ ଆଜି ଯାତ୍ରା କରୁଥିବା ବିମାନରେ ଜଣେ ସହ ଯାତ୍ରୀ ଅସୁସ୍ଥ ହୋଇଥିଲେ। ତୁରନ୍ତ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସଠିକ୍ ଚିକିତ୍ସା କରିଥିଲେ। ଆଜି ବାରାଣାସିରୁ ଭାୟା ନୂଆ ଦିଲ୍ଲୀ ହୋଇ ହାଇଦ୍ରାବାଦ ଫେରୁଥିଲେ ତେଲେଙ୍ଗାନା ରାଜ୍ୟପାଳ ସୌନ୍ଦରାରାଜନ। ଏହି ସମୟରେ ଉକ୍ତ ବିମାନରେ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିବା ଆନାଉନ୍ସ କରାଯାଇଥିଲା। ତେବେ ଏହି ଖବର ଜାଣିବା ପରେ ସୌନ୍ଦରାରାଜନ ତୁରନ୍ତ ତାଙ୍କର ସ୍ୱସ୍ଥ୍ୟା ପରୀକ୍ଷା କରିଥିଲେ।
ତେବେ ବିମାନଟି ହାଇଦ୍ରାବାଦରେ ଅବତରଣ କରିବା ପରେ ତୁରନ୍ତ ତାଙ୍କୁ ସେଠାରେ ଥିବା ମେଡିକାଲକୁ ନିଆଯାଇଥିଲା । ଆଉ ରାଜ୍ୟପାଳଙ୍କ ପରାମର୍ଶକ୍ରମେ ମେଡିସିନ୍ ଦିଆଯାଇଥିଲା। ନିକଟରେ ତେଲେଙ୍ଗାନା ରାଜ୍ୟପାଳ ଭଦ୍ରାଦତ୍ରି-କୋଠାଗୋଡ଼େମ ବନ୍ୟାର ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲେ। ଆକାଶମାର୍ଗ ନୁହେଁ ପାଦରେ ଚାଲି ଚାଲି ସେ ବିଭିନ୍ନ ଅଞ୍ଚଳ ବୁଲିଥିଲେ । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ।
ଏପରିକି ରିଲଫ କାର୍ଯ୍ୟ ଓ ଆଶ୍ରୟସ୍ଥଳର ମଧ୍ୟ ତଦାରଖ କରିଥିଲେ। ରାଜ୍ୟପାଳଙ୍କ ଏହି ସେବାମନବୃତ୍ତି ସ୍ଥାନୀୟ ଲୋକଙ୍କୁ ହୃଦୟକୁ ବେଶ ଛୁଇଁପାରିଥିଲା। ଲୋକେ ମଧ୍ୟ ତାଙ୍କୁ ଅନେକ ପ୍ରଶଂସା କରିଥିଲେ। ବନ୍ୟାରେ ନଷ୍ଟ ହୋଇଥିବା ଘର ଦ୍ୱାର ବୁଲି ଦେଖିବା ସହ ଉଜୁଡ଼ଯାଇଥିବା ଫସଲ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ ବିନ୍ୟା ଦୁର୍ଦ୍ଦଶାଗ୍ରସ୍ତ ଲୋକମାନଙ୍କୁ ସ୍ୱାସ୍ଥ୍ୟ କିଟ୍, ମେଡିସିନ୍ ଆଦି ବଣ୍ଟନ କରି ଲୋକଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ସେହିପରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ।