ଏହି ସବୁ ଲକ୍ଷଣ ଥିଲେ ତୁରନ୍ତ କରୋନା ଟେଷ୍ଟ କରିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି। ବିଶେଷ କରି ଦେଶରୁ ମାରାତ୍ମକ ‌ଓମିକ୍ରନ ଭାରିଏଣ୍ଟ ଠାବ ହେବା ପରେ ବିଭିନ୍ନ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇ ଠାରୁ ଦିଲ୍ଲୀ ଯାଏ ସବୁଆଡ଼େ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସଂକ୍ରମଣ ବଢ଼ୁଥିବାରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଟେଷ୍ଟ ବଢ଼ାଇବାକୁ କହିଛନ୍ତି। ଏଥିସହ […]

corona

Hemant Lenka
  • Published: Friday, 31 December 2021
  • , Updated: 31 December 2021, 08:54 PM IST

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି। ବିଶେଷ କରି ଦେଶରୁ ମାରାତ୍ମକ ‌ଓମିକ୍ରନ ଭାରିଏଣ୍ଟ ଠାବ ହେବା ପରେ ବିଭିନ୍ନ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇ ଠାରୁ ଦିଲ୍ଲୀ ଯାଏ ସବୁଆଡ଼େ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସଂକ୍ରମଣ ବଢ଼ୁଥିବାରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଟେଷ୍ଟ ବଢ଼ାଇବାକୁ କହିଛନ୍ତି। ଏଥିସହ କେଉଁ ସବୁ ଲକ୍ଷଣ ଥିଲେ ଲୋକମାନେ ତୁରନ୍ତ ଟେଷ୍ଟ କରିବେ, ସେକଥା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ଭୂଷଣ ଚିଠିରେ କହିଛନ୍ତି ଯେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଜଣେ ବ୍ୟକ୍ତି ନିଜକୁ ଆଇସୋଲେଟ କରିବା ଦରକାର। ଏହାବାଦ ଜ୍ୱର, ମୁଣ୍ଡବିନ୍ଧା, ଗଳାରେ ସମସ୍ୟା, କାଶ, ଶ୍ୱାସକ୍ରିୟାରେ ସମସ୍ୟା, ଶରୀରରେ ବିନ୍ଧା, ସ୍ୱାଦ, ଘ୍ରାଣ ଶକ୍ତି ଚାଲିଗଲେ ଓ ଡାଇରିଆ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ କରୋନା ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି।

ସେହିପରି ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ହେବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ଜାରି କରିଥିବା ଗାଇଡଲାଇନ ଅନୁସାରେ ଜଣେ ସନ୍ଦିଗ୍ଧ ଓ ଆକ୍ରାନ୍ତ ଆଇସୋଲେସନରେ ରହିବେ ବୋଲି ଚିଠିରେ କୁହାଯାଇଛି।

ଏହାବାଦ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ଟେଷ୍ଟିଂ ସଂଖ୍ୟା ତୁରନ୍ତ ବୃଦ୍ଧି କରିବାକୁ କହିଛନ୍ତି। ସଂକ୍ରମଣକୁ ରୋକିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଜରୁରୀ। ଯଦି ଆରଟିପିସିଆର ଟେଷ୍ଟ ରେଜଲ୍ଟ ଆସିବାରେ ବିଳମ୍ବ ହେଉଛି, ତା’ହେଲେ ରାଜ୍ୟଗୁଡ଼ିକ ଆଣ୍ଟିଜେନ ଟେଷ୍ଟ ବୃଦ୍ଧି କରିପାରିବେ।

ଏଥିପାଇଁ ଅଧିକ ଲ୍ୟାବ ଓ ସଂସ୍ଥା ପ୍ରତିଷ୍ଠା କରାଯାଉ। ସରକାରୀ ଓ ବେସରକାରୀ ହସ୍ପିଟାଲକୁ ଆଣ୍ଟିଜେନ ଟେଷ୍ଟ କରିବାକୁ ଅନୁମତି ଦିଆଯାଉ। ସବୁ ଲୋକ ଯେମିତି ୨୪ ଘଣ୍ଟା ସବୁ ସ୍ଥାନରେ ନିଜର ଟେଷ୍ଟିଂ ସୁବିଧା ପାଇବେ, ସେନେଇ ରାଜ୍ୟ ସରକାରମାନେ ପଦକ୍ଷେପ ନିଅନ୍ତୁ।

ଲକ୍ଷଣ ଯୁକ୍ତ ଲୋକମାନଙ୍କୁ ସେଲଫ ଟେଷ୍ଟ ଓ ହୋମ ଟେଷ୍ଟ ପାଇଁ ପ୍ରୋତ୍ସାହିତ କରାଯାଉ। ନିଜେ ନିଜର ଟେଷ୍ଟ କରିବା ପାଇଁ ୭ଟି କିଟକୁ ଭାରତରେ ଅନୁମତି ମିଳିଛି। ତେଣୁ ଏହା ଲୋକଙ୍କ ପାଖରେ ପହଞ୍ଚିବା ଜରୁରୀ। ରାଜ୍ୟ ସରକାରମାନେ ସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Related story