ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦଳବିଦଳ ବିରୋଧୀ ଆଇନର ତର୍ଜମା ସହିତ ନିଷ୍ପତ୍ତି ଗ୍ରହଣ କରିବାକୁ ବିଧାନସଭା ଓ ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନର ଶୁଣାଣୀ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ଏ ସଂପର୍କରେ ସଂସଦ ଆଇନ ପ୍ରଣୟନ କରିପାରିବ। ସୁପ୍ରିମ କୋର୍ଟ ଆଇନ ପ୍ରଣୟନ କରନ୍ତି ନାହିଁ।
ଆବେଦନକାରୀ ଦର୍ଶାଇଥିଲେ ଯେ ବ୍ୟକ୍ତିଗତ ତଥା ରାଜନୀତିକ ଲାଭ ଆଶା ରଖି ନିର୍ବାଚିତ ପ୍ରତିନିଧିମାନେ ଦଳ ଅଦଳ ବଦଳ କରୁଛନ୍ତି। ଏଭଳି ହେବା ଦ୍ୱାରା ଦେଶର ଗଣତନ୍ତ୍ର ପ୍ରଭାବିତ ହେଉଛି। ଏପରି ହେବା ଦ୍ଵାରା ସମ୍ୱିଧାନର ଧାରା ୨୧ ଅନୁଯାୟୀ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେଉଛି। ପୁଣି ଭିନ୍ନ ଭିନ୍ନ ବାଚସ୍ପତି ଦଳବିରୋଧୀ ଆଇନର ଭିନ୍ନ ଭିନ୍ନ ତର୍ଜମା କରି ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ସେଥିପାଇଁ ସେମାନେ ନିଜ ଇଚ୍ଛା ଅନୁସାରେ ସମୟ ଗଡ଼ାଉଛନ୍ତି। ତେଣୁ ବିଧାନସଭା ଓ ଲୋକସଭାର ବାଚସ୍ପତି, ରାଜ୍ୟସଭାର ଅଧ୍ୟକ୍ଷ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏସବୁ ମାମଲାର ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ଦରକାର ବୋଲି ଆବେଦନକାରୀ କହିଛନ୍ତି। ଗୁରୁବାର ଏହି ଆବେଦନର ଶୁଣାଣି କରଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ. ଭି ରମନ୍ନା।
ସିଜେଆଇ କହିଛନ୍ତି ଆଇନ୍ କିଭଳି ତିଆରି ହେବ ତାହା ସଂସଦର କର୍ତ୍ତୃତ୍ୱାଧୀନ। ସର୍ବୋଚ୍ଚ ନ୍ୟାୟାଳୟର କାମ ଆଇନର କାର୍ଯ୍ୟକାରିତାର ତର୍ଜମା। ତେଣୁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇପାରିବେ ନାହିଁ।
ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଦସ୍ୟ ରଞ୍ଜିତ ମୁଖାର୍ଜୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ବିଧାନସଭା ଓ ସଂସଦର ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଏହି ସବୁ ମାମଲାରେ ସମାନ ନିଷ୍ପତ୍ତି ନେବା ଦରକାର କହି ଏକ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କହିଥିଲେ। ଏଭଳି ହେଲେ ଅନେକ ମାମଲା ତୁରନ୍ତ ଏବଂ ଏକ ସମୟ ସୀମା ମଧ୍ୟରେ ସମାଧାନ ହୋଇପାରିବ।
କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ କର୍ଣ୍ଣାଟକ ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନରେ ସମାନ ପ୍ରସଙ୍ଗ ଉଠିଥିଲା। ହେଲେ କୋର୍ଟ ଖାରଜ କରିଦେଇଥିଲେ। ପ୍ରଧାନ ବିଚାରପତି କହିଛନ୍ତି, "ମୁଁ କର୍ଣ୍ଣାଟକର ଏହି ମାମଲାରେ ମୋର ମତ ପ୍ରକାଶ କରିସାରିଛି। ଏହି ମାମଲାରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଯାଇଥିଲା। ସେତେବେଳେ ବରିଷ୍ଠ ଓକିଲ କପିଲ ସିବଲ ତାଙ୍କ ଯୁକ୍ତି ମଧ୍ୟ ରଖିଥିଲେ।"
ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି ଯେ ସଂସଦ ଏ ସବୁ ମାମଲାରେ ନିଷ୍ପତ୍ତି ନେବ। ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥର କରାଯାଇଛି।