ହାଇଦ୍ରାବାଦ: ଜଣେ ବ୍ୟକ୍ତିର ଚେହେରା ଉପରେ ଚୁଟିର ଭୂମିକା କ'ଣ, ତାହାର ଜ୍ଜ୍ୱଳନ୍ତ ଉଦାହରଣ ହାଇଦ୍ରାବାଦରେ ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ଅନଲାଇନ୍ ଟ୍ୟାକ୍ସି କମ୍ପାନୀ ଉବେର ତା'ର ଜଣେ କର୍ମଚାରୀକୁ ଚାକିରିରୁ ବାହାର କରିଦେଇଛି। ଏହାର କାରଣ ଜାଣିଲେ ଜଣେ ଆଶ୍ଚର୍ଯ୍ୟ ହୋଇଯିବେ। କର୍ମଚାରୀ ଜଣକଙ୍କର ମୁହଁ ସ୍କାନରରେ ମ୍ୟାଚ୍ ନହେବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି।
ପୂରା ଘଟଣା ହେଉଛି, ହାଇଦ୍ରାବାଦରେ ଉବେର ଡ୍ରାଇଭର୍ ଭାବେ କାମ କରୁଥିବା ଶ୍ରୀକାନ୍ତ ତିରୁମାଲା ତିରୁପତିରେ ଲଣ୍ଡା ହୋଇ ନିଜ ଚୁଟିକୁ ଭଗବାନଙ୍କୁ ଦାନ କରିଥିଲେ। କିନ୍ତୁ ଏହି ଚୁଟି ଦାନ କରିବା ତାଙ୍କୁ ମହଙ୍ଗା ପଡ଼ିଲା। ଶ୍ରୀକାନ୍ତ ଯେତେବେଳେ ନିଜର ଅଫିସ୍ ଗଲେ, ସେତେବେଳେ ଫେସ୍ ସ୍କାନର ମେସିନ୍ ତାଙ୍କର ମୁହଁକୁ ଚିହ୍ନଟ କରିପାରିନଥିଲା। ଏହି କାରଣରୁ ଶ୍ରୀକାନ୍ତଙ୍କର ଚାକିରି ଚାଲିଗଲା।
ଶ୍ରୀକାନ୍ତ କହିଛନ୍ତି ଯେ ଯେତେବେଳେ ସେ କମ୍ପାନୀରେ ଲଗ୍ ଇନ୍ କଲେ, ସେତେବେଳେ ତାଙ୍କୁ ଯେଉଁ ଫଟୋ ସଫ୍ଟୱେର ମୁହଁ ସ୍କାନ୍ କରିବାକୁ ଦିଆଯାଇଥିଲା, ସେଥିରେ ତାଙ୍କ ମୁହଁର ରୂପ ସମ୍ପୂର୍ଣ୍ଣ ବଦଳିଗଲା। ଅର୍ଥାତ୍ ସ୍କାନରରେ ଶ୍ରୀକାନ୍ତଙ୍କ ପୁରୁଣା ଫଟୋ ଓ ନୂଆ ଫଟୋ ମ୍ୟାଚ୍ କରିନଥିଲା। ଶ୍ରୀକାନ୍ତ ସ୍କାନରରେ ଚାରିଥର ନିଜର ମୁହଁ ଜରିଆରେ ଲଗଇନ୍ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ପ୍ରତିଥର ସଫ୍ଟୱେର୍ ତାଙ୍କୁ ଚିହ୍ନିବାକୁ ମନା କରିଦେଇଥିଲା। ଯେଉଁ କାରଣରୁ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଛି।
https://twitter.com/ShaikTgfwda/status/1377321271927529479?s=20
ଏହାରି ଭିତରେ ମାସେ ବିତି ଯାଇଥିଲେ ହେଁ, ଶ୍ରୀକାନ୍ତଙ୍କ ମୁହଁକୁ ସଫ୍ଟୱେର ଚିହ୍ନଟ କରିପାରୁନାହିଁ। ମାସେ ହେଲା ଶ୍ରୀକାନ୍ତଙ୍କ ପାଖରେ କୌଣସି କାମ ନାହିଁ। କମ୍ପାନୀର ସବୁ ଡକ୍ୟୁମେଣ୍ଟ ତାଙ୍କ ପାଖରେ ମହଜୁଦ୍ ଥାଇ ବି ସେ କାମ କରିପାରୁନାହାନ୍ତି। ଶ୍ରୀକାନ୍ତ ଅନେକ ଥର ଉବେର କାର୍ଯ୍ୟାଳୟ ଯିବା ଆସିବା କରିଥିଲେ ହେଁ, ତାଙ୍କୁ ଡ୍ରାଇଭର୍ ଭାବେ ନେବାକୁ କମ୍ପାନୀ ମନା କରିଦେଇଛି।
ଶ୍ରୀକାନ୍ତ କହିଛନ୍ତି, ସେ ଦେଢ଼ ବର୍ଷ ହେବ ଉବେର ଡ୍ରାଇଭର୍ ଭାବେ କାମ କରୁଥିଲେ ଏବଂ ତାଙ୍କର ପୂରା ତାଙ୍କ ଉପରେ ନିର୍ଭରଶୀଳ। ଏବେ ଶ୍ରୀକାନ୍ତଙ୍କୁ ବିନା ଚାକିରିରେ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡୁଛି। ଶ୍ରୀକାନ୍ତ କହିଛନ୍ତି, ୨୦୧୯ରେ ସେ ଉବେରରେ ସାମିଲ୍ ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ପାଖାପାଖି ୧୪୨୮ ଯାତ୍ରା ପୂରଣ କରିସାରିଛନ୍ତି। ତାଙ୍କୁ ମଧ୍ୟ ଡ୍ରାଇଭିଂ ପାଇଁ ୪.୬୭ ଷ୍ଟାରର ରେଟିଂ ମିଳିଛି।
ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍ ଆଧାରିତ ଟ୍ରାନ୍ସପୋର୍ଟ ୱାର୍କର୍ସ ମହାସଚିବ ଶେକ୍ ସଲାଉଦ୍ଦିନ ଶ୍ରୀକାନ୍ତଙ୍କ ପୂରା ଘଟଣାକୁ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି।