ଯୁଦ୍ଧ ସଙ୍କଟ: ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବ ୟୁକ୍ରେନ୍‌

ନୂଆଦିଲ୍ଲୀ:ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ସଙ୍କଟ ଚରମସୀମରେ ପହଞ୍ଚିଛି। ପ୍ରତିପକ୍ଷ ଉପରେ ଆକ୍ରମଣ ପାଇଁ ରୁଷ ସଜବାଜ ଆରମ୍ଭ କରିଦେଇଥିବା ବେଳେ ୟୁକ୍ରେନ୍‌ ଯୁଦ୍ଧ ପରିସ୍ଥିତିକୁ ସାମ୍ନା ପାଇଁ ପ୍ରସ୍ତୁତ ହେଉଛି। ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ୟୁକ୍ରେନ୍‌ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସମଗ୍ର ଦେଶରେ ଏହି ସ୍ୱତନ୍ତ୍ର କଟକଣା ଲାଗୁ ପାଇଁ ବିଚାର କରୁଛି ୟୁକ୍ରେନ୍‌ । ଦେଶ ବ୍ୟାପି ଶାନ୍ତି ବଜାୟ ରଖିବା ସହ […]

Russia

Tapas Behera
  • Published: Wednesday, 23 February 2022
  • , Updated: 23 February 2022, 10:25 PM IST

ନୂଆଦିଲ୍ଲୀ:ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ସଙ୍କଟ ଚରମସୀମରେ ପହଞ୍ଚିଛି। ପ୍ରତିପକ୍ଷ ଉପରେ ଆକ୍ରମଣ ପାଇଁ ରୁଷ ସଜବାଜ ଆରମ୍ଭ କରିଦେଇଥିବା ବେଳେ ୟୁକ୍ରେନ୍‌ ଯୁଦ୍ଧ ପରିସ୍ଥିତିକୁ ସାମ୍ନା ପାଇଁ ପ୍ରସ୍ତୁତ ହେଉଛି। ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ୟୁକ୍ରେନ୍‌ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସମଗ୍ର ଦେଶରେ ଏହି ସ୍ୱତନ୍ତ୍ର କଟକଣା ଲାଗୁ ପାଇଁ ବିଚାର କରୁଛି ୟୁକ୍ରେନ୍‌ । ଦେଶ ବ୍ୟାପି ଶାନ୍ତି ବଜାୟ ରଖିବା ସହ ନିଜର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି କଟକଣା ଲାଗୁ ହେବ। ରୁଷିଆର ଆକ୍ରମଣକୁ ନଜରରେ ରଖି ଏମିତି କଠୋର ପଦକ୍ଷେପ ନେବାକୁ ବିଚାର କରାଯାଇଥିବା ୟୁକ୍ରେନ୍‌ର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି।

ଆସନ୍ତା ମାସେ ପର୍ଯ୍ୟନ୍ତ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବ। ପୁଣି ଆବଶ୍ୟକ ପଡ଼ିଲେ ଏହି ଅବଧିକୁ ୩୦ ଦିନ  ବୃଦ୍ଧି କରାଯାଇ ପାରେ। ୟୁକ୍ରେନ୍‌ ସଂସଦରେ ଏହି ପ୍ରସ୍ତାବ ପାରିତ ହୋଇପାରେ। ଏହି ନିୟମକୁ ପରିଚାଳନା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଦାୟିତ୍ୱରେ ରହିବେ। ଏହି ପଦକ୍ଷେପ ସୂରୁପ ଦେଶରେ ଅର୍ଥନୈତିକ ଗତିବିଧିକୁ ଅବରୋଧ କରାଯାଇପାରିବ ନାହିଁ। ସେହିପରି ଏହି  ସମୟରେ ଦେଶରେ କେହି ଆନ୍ଦୋଳନ ମଧ୍ୟ କରିପାରିବେ ନାହିଁ।  ସେହିପରି ଆବଶ୍ୟକସ୍ଥଳେ କର୍ଫ୍ୟୁ ଜାରି ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇ ପାରିବେ। ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ଏହି ସବୁ ଆଗୁଆ ପକ୍ଷକ୍ଷେପ ଜରୁରୀ ବୋଲି ୟୁକ୍ରେନ୍‌ ସିକ୍ୟୁରିଟି ଅଧିକାରୀ ଡାନିଲଭ୍‌ କହିଛନ୍ତି। ବିଶେଷ କରି ସୀମାରେ ଅଧିକ ସତର୍କ ରହିବାକୁ ପଦକ୍ଷେପ ନିଆଯିବ। ରୁଷକୁ ମୁକାବିଲା ପାଇଁ ମଧ୍ୟ ୟୁକ୍ରେନ୍‌ ପକ୍ଷରୁ ସେନା ପ୍ରସ୍ତୁତ ଅଛି।

ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ପୂର୍ବ ୟୁକ୍ରେନ୍‌କୁ ଅଧିକ ସେନା ପଠାଯାଇଛି। ୟୁକ୍ରେନ୍‌ର କେତେକ ଆଇନ ନିର୍ମାତା ଦେଶରେ ସାମରିକ ଆଇନ ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ଫଳରେ ଦେଶର ରାଜନୈତିକ ଦଳ ଗୁଡ଼ିକ ଗତିବିଧି ଉପରେ ରୋକ ଲାଗିବ। ସେହିପରି ଦେଶରେ ସଭାସମିତି ନିଷିଦ୍ଧ ରହିବ। ଅନ୍ୟପଟେ କୂଟନୈତିକ ସମାଧାନ ପାଇଁ ରୁଷ୍‌ ପ୍ରସ୍ତୁତ। କିନ୍ତୁ ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି। ପୁଟିନ୍ କହିଛନ୍ତି, ପ୍ରତ୍ୟକ୍ଷ ଏବଂ ନିଷ୍ଠାପର ଆଲୋଚନା ତଥା ସବୁଠୁ ଜଟିଳ ସମସ୍ୟାର କୂଟନୈତିକ ସମାଧାନ ଖୋଜି ବାହାର କରିବା ପାଇଁ ଆମ ଦେଶ ସର୍ବଦା ଉନ୍ମୁକ୍ତ।

କିନ୍ତୁ, ରୁଷ୍‌ର ସ୍ୱାର୍ଥ, ଆମ ନାଗରିକମାନଙ୍କର ସୁରକ୍ଷା ଆମ ପାଇଁ ସାଲିସବିହୀନ। ସୋମବାର ଦିନ ପୂର୍ବାଞ୍ଚଳ ୟୁକ୍ରେନ୍‌ର ଦୋନେତସ୍କ ଏବଂ ଲୁହାନସ୍କ୍‌କୁ ରୁଷ୍‌ ଦୁଇଟି ସ୍ୱତନ୍ତ୍ର ସତ୍ତା ବା ଦେଶ ଭାବେ ସ୍ୱୀକୃତି ଦେବା ଯୋଗୁଁ ବିଶ୍ୱରେ ଚହଳ ପଡ଼ିଯାଇଛି।

Related story