ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ଆସନ ନିମନ୍ତେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟ ପରୀକ୍ଷା ସରିଥିବା ବେଳେ ଆଜି ଜଣାପଡ଼ିବ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହା ଉପରେ ସମସ୍ତଙ୍କ ନଜର। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଆଜି ହେବ ଭୋଟ୍ ଗଣତି ।
ସକାଳ ୮ଟାରୁ ଉତ୍ତରପ୍ରଦେଶର ୪୦୩, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ଗୋଆର ୪୦ ଓ ମଣିପୁରର ୬୦ଟି ଆସନ ପାଇଁ ଗଣତି ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ସମସ୍ତ ୭୪ଟି ଜିଲ୍ଲାରେ ଗଣତି କେନ୍ଦ୍ର କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଓ ପରେ ଇଭିଏମ୍ ଭୋଟ୍ ଗଣତି ହେବ। ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ନିର୍ବାଚନ ହୋଇଥିଲା ।
ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ । ଉତ୍ତର ପ୍ରଦେଶର ୪୦୩ ଆସନରୁ ବିଭିନ୍ନ ସର୍ଭେରେ ମିଳିଥିବା ରିପୋର୍ଟ ଅନୁସାରେ ପୁଣି ଥରେ ଯୋଗୀ ସରକାର ଫେରିବ । P-MARQର ଏକଜିଟ୍ ପୋଲ୍ରେ ବିଜେପିକୁ ୨୪୦, ସମାଜବାଦୀ ପାର୍ଟିକୁ ୧୪୦, କଂଗ୍ରେସକୁ ୪ ଏବଂ ଅନ୍ୟ ଦଳକୁ ୧୯ ସିଟ୍ ମିଳିବ । ସେହିପରି NEWS 18 ଏକଜିଟ୍ ପୋଲରେ ବିଜେପି-୨୬୩, ସପା-୧୨୩, କଂଗ୍ରେସ-୫ ଏବଂ ଅନ୍ୟ ଦଳକୁ ୧୫ଟି ସିଟ୍ ମିଳିବ ବୋଲି ଆକଳନ କରାଯାଇଥିଲା ।
INDIA NEWS ସର୍ଭେରେ ବିଜେପିକୁ ୨୨୨ରୁ ୨୬୦, ସମାଜବାଦୀ ପାର୍ଟିକୁ ୧୩୫ରୁ ୧୬୫, କଂଗ୍ରେସକୁ ୧ରୁ ୩ ଏବଂ ଅନ୍ୟ ଦଳକୁ ୪ରୁ ୯ଟି ଆସନ ମିଳିବ । NEWSX ସର୍ଭେରେ ବିଜେପିକୁ ୨୧୧ରୁ ୨୨୫, ସପାକୁ ୧୪୬ରୁ ୧୬୦, କଂଗ୍ରେସକୁ ୪ରୁ ୬ ଏବଂ ଅନ୍ୟ ଦଳକୁ ୧୪ରୁ ୨୪ ସିଟ୍ ମିଳିବ ବୋଲି ଆକଳନ କରାଯାଇଛି ।
ପଞ୍ଜାବରେ କିନ୍ତୁ ଏଥର ସତ୍ତା ବଦଳି ପାରେ । କାରଣ ଏକଜିଟ୍ ପୋଲ ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିପାରେ ଆମ୍ ଆଦମୀ ପାର୍ଟି । ବିଧାନସଭା ନିର୍ବାଚନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ ଦଳ । ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥା ଆପ୍ ସପକ୍ଷରେ ଜନମତ ଯିବ ବୋଲି ପୂର୍ବାନୁମାନ କରିଛନ୍ତି।
ଉତ୍ତରାଖଣ୍ଡରେ ପୁଣି ଉଡ଼ିପାରେ ବିଜେପିର ଝଣ୍ଡା । ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିଲେ ବି ପୋଲ୍ ଅଫ୍ ପୋଲସ୍ ତଥ୍ୟ କହୁଛି ୩୫ ଆସନ ପାଇ ଆଗରେ ରହିବ ବିଜେପି । ତେବେ ABP-CVOTERର ପୂର୍ବାନୁମାନ ଅନୁସାରେ ବିଜେପି ୨୬ରୁ ୩୨, କଂଗ୍ରେସକୁ ୩୨ରୁ ୩୮ ଏବଂ ଅନ୍ୟାନ୍ୟ ଦଳଙ୍କ ୩ରୁ ୯ଟି ଆସନ ମିଳିବ । ତେବେ ଗୋଆ ଗଣିତ ଟିକିଏ ଜଟିଳ ରହିଛି । ବିଜେପି ଓ କଂଗ୍ରେସ ଭିତରେ କଡ଼ା ମୁକାବିଲା ହେବା ନେଇ କହୁଛି ଏକଜିଟ ପୋଲ ରିପୋର୍ଟ।
ଏଥର ମଣିପୁରରେ ଫୁଟିପାରେ ପଦ୍ମ । ରାଜ୍ୟର ୬୦ଟି ଆସନରୁ ବିଜେପିକୁ ୩୦ ଆସନ ମିଳିବ ବୋଲି ପୋଲ୍ ଅଫ୍ ପୋଲ୍ସ ତଥ୍ୟ କହୁଛି । ତେବେ ଏକଜିଟ୍ ପୋଲ ପି ମାର୍କର ଆକଳନ ଅନୁସାରେ ଏଠାରେ ବିଜେପି ୨୭ରୁ ୩୧, କଂଗ୍ରେସ ୧୧ରୁ ୧୭, ଏପିପି ମେଣ୍ଟ ୬ରୁ ୧୦, ଏନପିଏଫ୍ ମେଣ୍ଟ ୨ରୁ ୬ଟି ଆସନ ପାଇବ ।