ପେଗାସସ ବିବାଦ: ଜୁନ୍‌ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇସ୍ରାଏଲର ଏନଏସ୍‌ଓ ତିଆରି କରିଥିବା ପେଗାସସ ସ୍ପାଇୱେୟାରକୁ ନେଇ ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜେ ହିଁ ଗୋଟିଏ ଟେକ୍ନାକାଲ କମିଟି ଗଠନ କରିଥିଲେ। କମିଟି ତଦନ୍ତ କରି କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛି। ଆଜି ଏହାର ଶୁଣାଣି ବେଳେ ଚୂଡ଼ାନ୍ତ ରିପୋର୍ଟ ପାଇଁ […]

Pegasus

Hemant Lenka
  • Published: Friday, 20 May 2022
  • , Updated: 20 May 2022, 12:16 PM IST

ନୂଆଦିଲ୍ଲୀ: ଇସ୍ରାଏଲର ଏନଏସ୍‌ଓ ତିଆରି କରିଥିବା ପେଗାସସ ସ୍ପାଇୱେୟାରକୁ ନେଇ ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜେ ହିଁ ଗୋଟିଏ ଟେକ୍ନାକାଲ କମିଟି ଗଠନ କରିଥିଲେ।

କମିଟି ତଦନ୍ତ କରି କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛି। ଆଜି ଏହାର ଶୁଣାଣି ବେଳେ ଚୂଡ଼ାନ୍ତ ରିପୋର୍ଟ ପାଇଁ କମିଟି ୪ ସପ୍ତାହ ସମୟ ମାଗିଥିଲା। କୋର୍ଟ ମଧ୍ୟ ଏଥିରେ ରାଜି ହୋଇଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଟେକ୍ନିକାଲ କମିଟିକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଜୁନ୍‌ ୨୦ ସୁଦ୍ଧା ସୁପରଭାଇଜିଂ ବିଚାରପତିଙ୍କ ନିକଟରେ ପେଗାସସ ବିବାଦର ରିପୋର୍ଟ ଦାଖଲ କରିବେ। ଏହାପରେ ସୁପରଭାଇଜିଂ ଜଜ୍‌ ଟେକ୍ନିକାଲ କମିଟିର ରିପୋର୍ଟକୁ ଅନୁଧ୍ୟାନ କରି ନିଜର ମତମତ ଜୁନ୍‌ ଶେଷ ସୁଦ୍ଧା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ। ଏହାପରେ ମାମଲା ଶୁଣାଣି ହେବ।

ଟେକ୍ନିକାଲ କମିଟି ସୁପ୍ରିମକୋର୍ଟଙ୍କୁ କହିଛି ଯେ ପେଗାସସ ସ୍ପାଇୱେୟାରର ଯାଞ୍ଚ ବେଳେ ସେମାନେ ୨୯ଟି ଫୋନ ଯାଞ୍ଚ କରିଛନ୍ତି। ଏଥିସହ କିଛି ଆବେଦନକାରୀ, ସାମାଜସେବୀ ଓ ସାମ୍ବାଦିକଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି। କୋର୍ଟ ଏହା ଶୁଣିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ପେଗାସସ ସ୍ପାଇୱେୟାର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କୋର୍ଟ ଗୋଟିଏ କମିଟି ବା ପ୍ୟାନେଲ ଗଠନ କରିଥିଲେ। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ହୋଇଥିବା ଲ୍ୟାବ ଯାଞ୍ଚରେ ଅତିକମରେ ୧୪ ଜଣ ସାମାଜିକ କର୍ମୀ, ସାମ୍ବାଦିକ, ବିରୋଧୀ ଦଳ ନେତା ଓ ଅନ୍ୟ ଲୋକଙ୍କ ଫୋନକୁ ପେଗାସସ୍ ଦ୍ୱାରା ହ୍ୟାକ କରାଯାଇଥିବା ସ୍ପଷ୍ଟ ହୋଇଛି।

୨୦୧୭ ଜୁଲାଇ ମାସରେ ଭାରତର ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ କିଛି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା। ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍‌।

ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱେୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍‌ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଥିଲେ।

ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳାଇଥିଲେ। ଏହି ଦୁଇ ସଂସ୍ଥା ସହ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର।
ଏହି ରିପୋର୍ଟ ପରେ ଭାରତରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପେଗାସସକୁ ଭାରତ ସରକାର କିଣି ଲୋକଙ୍କ ବିରୋଧରେ ବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। କିନ୍ତୁ ସରକାର ଏହାକୁ ଖଣ୍ଡନ କରିଛନ୍ତି।

Related story