କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚି ଯାଇଛି। ରୁଷର କ୍ରମାଗତ ଓ ଭୟଙ୍କର ହମଲାରେ ୟୁକ୍ରେନର ପ୍ରାୟ ଅଧିକାଂଶ ସହର ଛିନଛତ୍ର ହୋଇଗଲାଣି। ଯେଉଁଠି ପୂର୍ବରୁ ସୁନ୍ଦରତା ଭରି ରହିଥିଲା, ଆଜି ସେଠାରେ କେବଳ ଧୂଆଁ ଆଉ ଧୂଆଁ। ରୁଷ ହମଲାର ଉଚିତ ଜବାବ ୟୁକ୍ରେନ ଦେଉଥିବା ଦାବି କରୁଛି। ହେଲେ ବାସ୍ତବରେ ଯୁଦ୍ଧ ଯୋଗୁ ୟୁକ୍ରେନ ହିଁ ସବୁଠାରୁ ଅଧିକ କ୍ଷତି ସହିଛି।
ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ପାଇଁ ରୁଷ ଉପରେ ବିଭିନ୍ନ କଟକଣା ଲଗାଯାଉଛି। ସେହିପରି ଅନେକ ଦେଶ ଉଭୟ ରୁଷ ଓ ୟୁକ୍ରେନକୁ ଆଲୋଚନା ପାଇଁ କହୁଛନ୍ତି। କିନ୍ତୁ ଏଯାଏ କୌଣସି ସୁଫଳ ମିଳି ପାରିନାହିଁ।
ରୁଷ ୟୁକ୍ରେନରର ରାଜଧାନୀ କିଭ ଓ ଦେଶର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ଚଳାଇଥିବା ଧ୍ୱଂସଲୀଳାକୁ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆତଙ୍କବାଦ ସହ ତୁଳନା କରିଛନ୍ତି। ଏଥିସହ ରୁଷର ଏପରି ଆକ୍ରମଣକୁ ଯୁଦ୍ଧ ଅପରାଧ ବୋଲି କହିଛନ୍ତି। ରୁଷକୁ କେବେ ବି କ୍ଷମା କରାଯାଇ ପାରିବ ନାହିଁ କିମ୍ବା କେହି ଏହାକୁ ଭୁଲି ପାରିବେ ନାହିଁ ବୋଲି ଜେଲେନସ୍କି କହିଛନ୍ତି।
ତେବେ ଯୁଦ୍ଧର କିଛି ନିୟମ ଅଛି କି? କ’ଣ ଯିଏ ଯେତେବେଳେ ଯେଉଁଠି ଚାହିଁବ ହମଲା କରିପାରିବ? କଥାରେ ଅଛି everything fair in love and war। ଏହାର ଅର୍ଥ ପ୍ରେମ ଓ ଯୁଦ୍ଧରେ ସବୁ କିଛି ଯଥାର୍ଥ। କିନ୍ତୁ ସତରେ କ’ଣ ଯୁଦ୍ଧ ପାଇଁ କିଛି ନିୟମ ନାହିଁ? ଏକଥା ଯେଉଁମାନେ ଭାବୁଛନ୍ତି, ସେମାନେ ଭୁଲ। କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜେନେଭାରେ ବୈଠକ ବସିଥିଲା। ଏହି ସମୟରେ ଯୁଦ୍ଧ ସମ୍ପର୍କିତ କିଛି ନିୟମ ପ୍ରଣୟନ କରାଯାଇଥିଲା।
କେବେ କାହିଁକି ପ୍ରଣୟନ ହୋଇଥିଲା ଯୁଦ୍ଧର ନିୟମ?
୧- ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯ରୁ ୧୯୪୫ ଯାଏ ଚାଲିଥିଲା। ଏଥିରେ ୫୦ ମିଲିୟନରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଯୁଦ୍ଧରେ ପ୍ରଥମ ଥର ପାଇଁ ପରମାଣୁ ବୋମା ମଧ୍ୟ ବ୍ୟବହାର କରାଯାଇଥିଲା। ଏହି ଯୁଦ୍ଧର ଭୟାବହତାକୁ ଦେଖି ସାରା ବିଶ୍ୱରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବିଭିନ୍ନ ଦେଶର ପ୍ରତିନିଧିମାନେ ୧୯୪୯ରେ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ଜେନେଭାରେ ବୈଠକ କରିଥିଲେ। ଏହାକୁ ଜେନେଭା ସମ୍ମିଳନୀ କୁହାଯାଏ। ଏଠାରେ ପ୍ରଥମଥର ପାଇଁ ଯୁଦ୍ଧ ସମ୍ପର୍କିତ ନିୟମ ପ୍ରଣୟନ କରାଯାଇଥିଲା।
୨- ଯୁଦ୍ଧ କିପରି ହେବ? ଯୁଦ୍ଧ ସମୟରେ କାହା ଉପରେ ଆକ୍ରମଣ କରାଯାଇ ପାରିବ ଓ କାହା ଉପରେ ଆକ୍ରମଣ କରାଯିବ ନାହିଁ? ଯୁଦ୍ଧରେ କେଉଁ ସବୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବ? କେଉଁ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ପାରିବ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଇନରେ ବ୍ୟବସ୍ଥା ହୋଇଥିଲା। ଏହାକୁ ଅନ୍ତର୍ଜାତିକ ମାନବିକତା ଆଇନ ବା ଯୁଦ୍ଧ ଆଇନ ନାଁରେ ନାମିତ କରାଯାଇଥିଲା।
୩- ଜେନେଭା ସମ୍ମିଳନୀରେ ଯୁଦ୍ଧ ସମ୍ପର୍କରେ ତିଆରି ହୋଇଥିବା ଲ ଅଫ ୱାର୍ରେ ୧୬୧ଟି ନିୟମର ବ୍ୟବସ୍ଥା କରାଯାଇଛି। ଏହାକୁ ବିଶ୍ୱର ୧୯୬ଟି ଦେଶ ସ୍ୱୀକୃତି ପ୍ରଦାନ କରିଛନ୍ତି। ସ୍ୱୀକୃତି ପ୍ରଦାନ କରିଥିବା ଦେଶଗୁଡ଼ିକ ଯୁଦ୍ଧ ସମୟରେ ନିୟମ ମାନିବାକୁ ବାଧ୍ୟ। ଯୁଦ୍ଧର କେଉଁ ସମୟରେ ଆଇନ କାର୍ଯ୍ୟକାରୀ ହେବ, ସେ ବିଷୟରେ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଯେଉଁମାନେ ଯୁଦ୍ଧ କରନ୍ତି ନାହିଁ କିମ୍ବା ଯୁଦ୍ଧ କରିବା ସ୍ଥିତିରେ ନାହାନ୍ତି, ସେମାନଙ୍କ ସୁରକ୍ଷା ପାଇଁ ଏପରି ନିୟମ ପ୍ରଣୟନ କରାଯାଇଥିଲା।
୪- ଯୁଦ୍ଧ ନିୟମ ଅନୁଯାୟୀ, ଯଦି କୌଣସି ଦେଶ ଭିତରେ ଲଢ଼େଇ ଜାରି ରହିଛି ବା ଗୃହ ଯୁଦ୍ଧ ଚାଲିଛି, ତା’ହେଲେ ଏହି ନିୟମ ଲାଗୁ ହେବ ନାହିଁ। ଯେତେବେଳେ ଦୁଇ କିମ୍ବା ଏକାଧିକ ଦେଶ ମଧ୍ୟରେ ଯୁଦ୍ଧ ହୁଏ ଓ ସମସ୍ତେ ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି ସେତେବେଳେ ଲ’ ଅଫ ୱାର ଲାଗୁ ହେବ।
କେଉଁଠି ଓ କେଉଁ ଲୋକଙ୍କ ଉପରେ ହୋଇପାରିବି ଆକ୍ରମଣ?
୧- ଯୁଦ୍ଧ ସମୟରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇ ପାରିବ ନାହିଁ। ଏହାବାଦ ସ୍ୱାସ୍ଥ୍ୟ କର୍ମୀ ଓ ସାମ୍ବାଦିକମାନଙ୍କୁ ମଧ୍ୟ ଯୁଦ୍ଧ ବେଳେ କେହି ବି ଆକ୍ରମଣ କରିପାରିବେ ନାହିଁ।
୨- ନିୟମ ଅନୁଯାୟୀ, ଯୁଦ୍ଧ ସମୟରେ ଜନବସତି, କୋଠା, ସ୍କୁଲ, କଲେଜ ଓ ହସ୍ପିଟାଲ ଉପରେ ହମଲା କରାଯାଇ ପାରିବନି। ଏପରି କି ହସ୍ପିଟାଲ ଓ ମେଡିକାଲ ୟୁନିଟ୍ ଉପରେ ମଧ୍ୟ କେହି ଆକ୍ରମଣ କରିବେନି।
୩- ଯୁଦ୍ଧ ବେଳେ ଐତିହାସିକ, ଧାର୍ମିକ ପୀଠ ଓ ସାଂସ୍କୃତିକ ଐତିହ୍ୟଗୁଡ଼ିକୁ ନଷ୍ଟ କରାଯାଇ ପାରିବନି। ଏଥିସହିତ ସାଧାରଣ ଲୋକଙ୍କ ପାଇଁ ତିଆରି ହୋଇଥିବା ଆଶ୍ରୟସ୍ଥଳଗୁଡ଼ିକ ଉପରେ ଆକ୍ରମଣ ହେବନି।
୪- ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ଦାୟିତ୍ୱ ଯୁଦ୍ଧରେ ସାମିଲ ଦେଶଗୁଡ଼ିକ ଉପରେ ନିର୍ଭର କରିବ। କୌଣସି ଦେଶ ସାଧାରଣ ନାଗରିକଙ୍କ ସ୍ଥାନାନ୍ତରଣକୁ ରୋକି ପାରିବେ ନାହିଁ।
୫- ଯୁଦ୍ଧ ସମୟରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇପାରେ। ତେବେ ଯୁଦ୍ଧ ସମୟରେ ଯଦି ଶତ୍ରୁ ଦେଶର ଯବାନମାନେ ଆତ୍ମସମର୍ପଣ କରନ୍ତି, ତେବେ ସେମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ। ସେହିପରି ଆତ୍ମସମର୍ପଣ କରିଥିବା ଯବାନଙ୍କୁ କେହି ବି ହତ୍ୟା କରିପାରିବେ ନାହିଁ।
୬- ଯଦି କୌଣସି ଦେଶ ଯୁଦ୍ଧ ସମୟରେ ନିୟମ ଉଲ୍ଲଂଘନ କରେ, ତେବେ ଏହାକୁ ଯୁଦ୍ଧ ଅପରାଧ ଭାବରେ ବିବେଚନା କରାଯିବ। ଲ’ ଅଫ ୱାରର ୪୪ତମ ଧାରା ଅନୁଯାୟୀ ନିୟମ ଭାଙ୍ଗୁଥିବା ଦେଶର ବିଚାର ଅନ୍ତର୍ଜାତୀୟ ଅଦାଲତାରେ ହେବ।
୭-ମାନିବଜାତିକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଉଥିବା ବା ବିକରଣ ହେଉଥିବା କୌଣସି ବି ଅସ୍ତ୍ରଶସ୍ତ୍ର ଯୁଦ୍ଧ ସମୟରେ ବ୍ୟବହାର କରାଯାଇ ପାରିବ ନାହଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।