କାହିଁକି ଅଗଷ୍ଟ ୧୩କୁ ଭାରତ ଇତିହାସର ଟର୍ଣ୍ଣିଂ ପଏଣ୍ଟ କୁହାଯାଏ?

ନୂଆଦିଲ୍ଲୀ: ସ୍ୱାଧୀନତାର  ‘ଅମୃତ ମହୋତ୍ସବ’ ଅବସରରେ ଦେଶବ୍ୟାପୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏଥିପାଇଁ ହର ଘର୍ ତ୍ରିରଙ୍ଗା ସ୍ଲୋଗାନରେ ପଦଯାତ୍ରା ଆରମ୍ଭ ହୋଇଛି । ଅଗଷ୍ଟ ୧୩ ରୁ୧୫ ଯାଏଁ ପ୍ରତି ଘରେ ତ୍ରିରଙ୍ଗା ଲଗାଇବା ପାଇଁ  ଆହ୍ୱାନ କରିଛନ୍ତି ମୋଦି। ତେବେ  କାହିଁକି ଅଗଷ୍ଟ ୧୩କୁ ଭାରତ ଇତିହାସର ଟର୍ଣ୍ଣିଂ ପଏଣ୍ଟ କୁହାଯାଏ?

୧୯୪୭  ମସିହା ଅଗଷ୍ଟ ୧୩ ତାରିଖ। ସ୍ୱାଧୀନ ସକାଳ ଉଇଁବାର ଠିକ୍ ଦୁଇ ଦିନ ପୂର୍ବର ତାରିଖ। ସେତେବେଳେ ଦେଶର ହୃଦୟରେ ବିଭାଜନ ଗାର ଟଣା ହୋଇସାରିଥାଏ। ଗୋଟିଏ ପଟେ ସ୍ୱାଧୀନତାର ଖୁସି, ଆଉ ଗୋଟିଏ ପଟେ ଦେଶ ବିଭାଜନର ଦୁଃଖ। ଏହାରି ଭିତରେ ସାରା ଦେଶରେ ଅଶାନ୍ତି ଓ ଅସନ୍ତୋଷର ପରିବେଶ ଥାଏ। ଧର୍ମ ଓ ଭାଗ ଅନୁସାରେ, ଭାରତର ଲୋକ ପାକିସ୍ତାନ ଯାଉଥାନ୍ତି, ପାକିସ୍ତାନର ଲୋକ ଭାରତ ଆସୁଥାନ୍ତି। ଦିଲ୍ଲୀର ରେଲୱେ ଷ୍ଟେସନ୍‌ରୁ ପାକିସ୍ତାନ ଯିବା ପାଇଁ ମହିଳାମାନେ ବାହାରିଥାନ୍ତି। କାହା ମୁହଁରେ ରାଗ ଥାଏ, କାହା ମୁହଁରେ ଲୁହ। ଏକ ଅନିଶ୍ଚିତ ଭବିଷ୍ୟତ ଆଡକୁ ଉଭୟ ଦେଶ ଓ ଜନତା ବଢ଼ୁଥାନ୍ତି।

ଦଙ୍ଗା-ହିଂସା ଓ ରକ୍ତପାତର ଖବର ଚାରିଆଡୁ ଆସୁଥାଏ। ହେଲେ, ଅଟକାଇବାର ସମ୍ଭାବନାକୁ କ୍ଷତାକ୍ତ କରିସାରିଥାଏ ବିଭାଜନ। ଅଧିକାଂଶ ରାଜା ଭାରତ କିମ୍ବା ପାକିସ୍ତାନ ସହ ନିଜ ଦେଶକୁ ବିଲୟ କରିଥାଇସାରିଥାନ୍ତି। ତଥାପି କିଛି ରାଜା, ସ୍ୱାଧୀନ ରାଷ୍ଟ୍ରର ସ୍ୱପ୍ନ ବୁଣୁଥାନ୍ତି। ଅଗଷ୍ଟ ୧୩ ତାରିଖ ତ୍ରିପୁରାର ମହାରାଣୀ ଭାରତ ସହ ମିଶିବାକୁ ହସ୍ତାକ୍ଷର କରିଥିବା ବେଳେ ସେଇଦିନ ହାଇଦ୍ରାବାଦ ନିଜାମ୍ ହାଇଦ୍ରାବାଦକୁ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା କରିଥିଲେ। ସେହିପରି ଭୋପାଳ ନିଜାମ୍ ନିଜର ଏକ ସଂଘୀୟ ଦେଶ ଗଠନ କରିବାକୁ ଘୋଷଣା କରିଥିଲେ। ସ୍ୱାଧୀନତାର ଠିକ୍ ଦୁଇ ଦିନ ପୂର୍ବରୁ ଭାରତରେ ଥିଲା ଏଭଳି କିଛି ମାହୋଲ। ଆଉ ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୧୫ ତାରିଖରେ ଭାରତକୁ ମିଳିଥିଲା ସ୍ୱାଧିନତା।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।