‘ରାଷ୍ଟ୍ରପତ୍ନୀ’ ବୟାନ ପାଇଁ କ୍ଷମା ମାଗିବାକୁ ରାଜି ହେଲେ ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଦେଇଥିବା କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏବେ ନିଜର ଭୁଲକୁ ସ୍ୱୀକାର କରିଛନ୍ତି। ସେ ନିଜର ଭୁଲ ଶବ୍ଦ ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କୁ କ୍ଷମା ମାଗିବେ ବୋଲି ରାଜି ହୋଇଛନ୍ତି। ହେଲେ ତାଙ୍କର ବୟାନକୁ ଆଧାର କରି ବିକ୍ଷୋଭ ଓ ନାରାବାଜୀ କରୁଥିବା ବିଜେପି ସାଂସଦମାନଙ୍କୁ ଶ୍ରୀ ଚୌଧୁରୀ ଠକ ବୋଲି କହିଛନ୍ତି। ଏଥିସହ ସେ ଠକ ମାନଙ୍କୁ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ […]

adhira

  • Published: Thursday, 28 July 2022
  • , Updated: 28 July 2022, 05:43 PM IST

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଦେଇଥିବା କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏବେ ନିଜର ଭୁଲକୁ ସ୍ୱୀକାର କରିଛନ୍ତି। ସେ ନିଜର ଭୁଲ ଶବ୍ଦ ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କୁ କ୍ଷମା ମାଗିବେ ବୋଲି ରାଜି ହୋଇଛନ୍ତି। ହେଲେ ତାଙ୍କର ବୟାନକୁ ଆଧାର କରି ବିକ୍ଷୋଭ ଓ ନାରାବାଜୀ କରୁଥିବା ବିଜେପି ସାଂସଦମାନଙ୍କୁ ଶ୍ରୀ ଚୌଧୁରୀ ଠକ ବୋଲି କହିଛନ୍ତି। ଏଥିସହ ସେ ଠକ ମାନଙ୍କୁ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ଭୁଲ ବଶତଃ ମୋ ପାଟିରୁ ରାଷ୍ଟ୍ରପତିଙ୍କ ପାଇଁ ଶବ୍ଦଟି ଖସି ଯାଇଥିଲା। ମୁଁ ଜଣେ ବେଙ୍ଗଲୀ। ମୁଁ ସାଧାରଣତଃ ହିନ୍ଦୀ ସହ ସେତେଟା ଜଡ଼ିତ ନୁହେଁ। ମୁଁ ଗୋଟିଏ ଭୁଲ କରିଥିବା ସ୍ୱୀକାର କରୁଛି। ନିର୍ବାଚନ ବେଳେ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ କ’ଣ ସବୁ କୁହାଯାଇଥିଲା? ସାଂସଦ ଶଶି ଥରୁରଙ୍କ ପତ୍ନୀଙ୍କ ସମ୍ପର୍କରେ କି ଭଳି ଶବ୍ଦ ସବୁ ପ୍ରୟୋଗ ହୋଇଥିଲା?

ସଂସଦ ଭିତରେ ସେମାନେ କେମିତି ରେଣୁକା ଚୌଧୁରୀଙ୍କ ସମ୍ପର୍କରେ ଶବ୍ଦ ପ୍ରୟୋଗ କରିଥିଲେ? ସେକଥା କାହାକୁ ବି ଦେଖାଯାଉନି। ସେ ଯାହା ବି ହେଉ ମୁଁ ନିଜେ ରାଷ୍ଟ୍ରପତିଙ୍କ ଠାରୁ ସମୟ ମାଗିଛି। ସମ୍ଭବତଃ ମୁଁ ତାଙ୍କୁ ଦେଖା କରିବାକୁ ସମୟ ପାଇବି। ଯଦି ମୁଁ ତାଙ୍କୁ ଦେଖା କରିବି, ତା’ହେଲେ ବ୍ୟକ୍ତିଗତ ଭାବେ ତାଙ୍କ ସହ କଥା ହେବି। ଯଦି ମୁଁ ତାଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି, ତା’ହେଲେ ତାଙ୍କୁ କ୍ଷମା ମାଗିବି।

କିନ୍ତୁ ଏହି ସବୁ ଠକମାନଙ୍କୁ କେବେ ହେଲେ କ୍ଷମା ମାଗିବି ନାହିଁ। ସେମାନେ ସମସ୍ତେ ଜଣେ ଜଣେ ଠକ। ସେମାନେ ସମସ୍ତେ ମହିଳାଙ୍କୁ ଅସମ୍ମାନ କରିବାରେ ବେଶ ପାରଙ୍ଗମ। ସେମାନେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଅପମାନିତ କରିଛନ୍ତି। କ’ଣ ସେମାନଙ୍କୁ ମୁଁ ସେସବୁ ମନେ ପକାଇ ଦେବି?”

ସେ ଆହୁରି କହିଛନ୍ତି, “ ସେମାନେ ଆଦିବାସୀଙ୍କ ପାଇଁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୋଦିଜୀଙ୍କ ଶାସନ ସମୟରେ ଦେଶର ଆଦିବାସୀମାନେ ସବୁଠାରୁ ଅଧିକ କଷ୍ଟ ପାଇଛନ୍ତି। ତଥ୍ୟ ଯାଞ୍ଚ କରନ୍ତୁ। ଦେଶର ଅବସ୍ଥା ଆପଣମାନେ ଭଲ ଭାବେ ବୁଝି ପାରିବେ।”

ବିଜୟଚୌକରେ ବୁଧବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଥିଲା। ଏହି ସମୟରେ ଅଧିର ରଞ୍ଜନ ଚୌଧୁରୀ ସାମ୍ବାଦିକମାନଙ୍କୁ କହିଥିଲେ ଯେ କଂଗ୍ରେସ ନେତାମାନେ ରାଷ୍ଟ୍ରପତ୍ନୀଙ୍କ ପାଖକୁ ଯିବେ। ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Related story