କବର ନେବାକୁ ବସିଛି ବାଇଶ, ଉଦୟ ଅପେକ୍ଷାରେ ତେଇଶ । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ। ୨୦୨୩କୁ ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ।। ମନେ ହେଉଛି ୨୦୨୨ ବର୍ଷଟି ଆଖି ପିଛୁଳାକେ ଚାଲିଗଲା। ନିଶ୍ଚିତ ଭାବେ ଏହା ଏକ ଘଟଣା ବହୁଳ ବର୍ଷ ଥିଲା। ସ୍ମୁତିପଟରୁ ଚାଲିଯାଉଥିବା ବର୍ଷର କିଛି ଘଟଣାକୁ ନେଇ ଉପସ୍ଥାପନା।
ମୋଦିଙ୍କ ସୁରକ୍ଷା ଭଙ୍ଗ
ବର୍ଷ ଆରମ୍ଭରୁ ଗୋଟିଏ ଘଟଣା ଚକିତ କରିଥିଲା, ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଭଙ୍ଗ। ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକେଡକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡ଼ିଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢ଼ିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ କଡ଼ା ପ୍ରତିକ୍ରିୟା ଦେଖା ଦେଇଥିଲା।
ହିଜାବ ବିବାଦ
ଚଳିତ ବର୍ଷ ହିଜାବ ବିବାଦ ଦୀର୍ଘ ଦିନ ଧରି ଶିରୋନାମାରେ ରହି ଆସିଥିଲା । ଯଦିଓ ହିଜାବ ମାମଲା ୨୦୨୧ ଶେଷରୁ ଆରମ୍ଭ ହୋଇଥିଲା, କିନ୍ତୁ ଚଳିତ ବର୍ଷ ଏହା ଅଧିକ ଉଗ୍ରରୂପ ଧାରଣ କରିଥିଲା। ଆନ୍ଦୋଳନ ଓ ଅଦାଲତି ଚକ୍ରବ୍ୟୁହରେ ଫସି ବହୁଦିନ ଧରି ପ୍ରସଙ୍ଗ ହୋଇ ରହିଥିଲା। ୨୦୨୧ ଡିସେମ୍ବରରେ କର୍ଣ୍ଣାଟକରେ ହିଜାବ ବିବାଦ ଆରମ୍ଭ ହୋଇଥିଲା। ମୁସଲମାନ ଛାତ୍ରୀମାନେ ସ୍କୁଲ ଓ କଲେଜକୁ ହିଜାବ ପରିଧାନ କରି ଆସିବାରୁ ବିବାଦ ଆରମ୍ଭ ହୋଇଥିଲା। ପରେ ଏହି ବିବାଦ ରାଜନୈତିକ ରୂପ ନେଇଥିଲା। ୨୦୨୨ ଫେବୃଆରୀରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ ନିଷିଦ୍ଧ କରିଥିଲେ। ମାର୍ଚ୍ଚ ୧୫ରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ।
ନୁପୂର ଶର୍ମାଙ୍କ ବିବାଦୀୟ ବୟାନ
ଗୋଟିଏ ବିବାଦୀୟ ବୟାନ୍ ଦେଶର କେତେ କଣ କ୍ଷତି ସାଧନ କରିପାରେ ତାର ଦୃଷ୍ଟାନ୍ତ ହେଉଛନ୍ତି ବିଜେପି ନେତ୍ରୀ ନୂପୁର ଶର୍ମା। ଧର୍ମୀୟ ଭାବନାକୁ ନେଇ ନୂପୁର ଶର୍ମା ଯେଉଁ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏ ବର୍ଷ ତାକୁ ଭୁଲି ପାରିବ ନାହିଁ। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଚାରିଆଡ଼େ ଅସନ୍ତୋଷର ନିଆଁ ଲଗାଇଥିଲା। । ତାଙ୍କ ବୟାନ ଘଟଣା ପରେ ତେଜିଥିଲା ହିଂସା ଓ ଉତ୍ତେଜନା । ଅଳ୍ପସଂଖ୍ୟକମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଉପଦ୍ରବ କରିଥିଲେ। । ବିଭିନ୍ନ ମୁସଲିମ ସଂଗଠନ ବିଭିନ୍ନ ରାଜ୍ୟରେ ହିଂସା ଘଟଣାରେ ମାତିଥିଲେ । ପ୍ରତିବାଦ ପରେ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିଲେ ନୁପୂର ଶର୍ମା।
କହ୍ନେୟାଲାଲ ହତ୍ୟାକାଣ୍ଡ
ଚଳିତ ବର୍ଷର ଘଟଣାବଳୀରେ ଏକ ଚର୍ଚ୍ଚିତ ଭୟଙ୍କର ହତ୍ୟାକାଣ୍ଡ ଥିଲା ରାଜସ୍ଥାନ ଉଦୟପୁରର ଦରଜୀ କହ୍ନେୟା ଲାଲ ହତ୍ୟାକାଣ୍ଡ। ୪୮ ବର୍ଷୀୟ କହ୍ନେୟା ଲାଲଙ୍କୁ ଦୁଇ ଯୁବକ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀ ଦୋକାନ ଭିତରେ ପଶି ହତ୍ୟା କରିଥିଲେ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ହତ୍ୟା ପରେ ଉଭୟ ଭିଡିଓ ଜାରି କରି ଘଟଣାକୁ ସ୍ୱୀକାର କରିଥିଲେ। କହ୍ନେୟା ଲାଲଙ୍କ ଆକାଉଣ୍ଟରୁ ବିଜେପିରୁ ନିଲମ୍ବିତ ହୋଇଥିବା ନୁପୂର ଶର୍ମାଙ୍କ ସପକ୍ଷରେ ପୋଷ୍ଟ କରାଯାଇଥିଲା। ନୁପୂରଶର୍ମା ଇସଲାମ ଓ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିଥିଲେ। ସେଭଳି ଜଣେ ଲୋକଙ୍କୁ ସମର୍ଥନ କରିଥିବାରୁ ଦୁଇ ଯୁବକ ପ୍ରତିଶୋଧ ନେବା ପାଇଁ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଭିଡିଓରେ କହିଥିଲେ।
ଅଗ୍ନିପଥ ଝଡ଼
କରୋନା ମହାମାରୀ ପରେ ବେକାରୀ ସମସ୍ୟା ସହ ଜୁଝୁଥିବା ଯୁବପିଢ଼ିଙ୍କୁ ଅଧିକ ନିରାଶ କରିଥିଲା ଅଗ୍ନିପଥ ଯୋଜନା। ସଂସ୍କାର ନାମରେ ସାମୟିକ କାର୍ଯ୍ୟକାଳକୁ ନେଇ ଉଠିଥିଲା ତୀବ୍ର ବିରୋଧ ଓ ବିଦ୍ରୋହ। ଦେଶବ୍ୟାପୀ ଜଳିଥିଲା ନିଆଁ। ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଦେଶମାତୃକାର ସେବା ପାଇଁ ଯୁବପିଢ଼ିଙ୍କୁ ମିଳିବ ମାତ୍ର ୪ ବର୍ଷର ସୁଯୋଗ। ଏହା ମଧ୍ୟରେ ଥିଲା ୬ ମାସର କଡ଼ା ପ୍ରଶିକ୍ଷଣ। ତେବେ ଏହି ସମୟ ଅବଧି ମଧ୍ୟରେ ନିଜର ନିଷ୍ଠା ପରାକାଷ୍ଠାର ଭଲ ପ୍ରଦର୍ଶନ କରି ପାରିଲେ ପରବର୍ତ୍ତୀ ୧୫ ବର୍ଷ ପାଇଁ ସ୍ଥାୟୀ ନିଯୁକ୍ତି ମିଳିବ। ଆଉ ଏଥିପାଇଁ ପ୍ରତି ୪ ଜଣରୁ ମାତ୍ର ଜଣେ ହିଁ ସିଲେକ୍ଟ ହେବେ। ଅର୍ଥାତ୍ ମାତ୍ର ୨୫ ପ୍ରତିଶତ ଅଗ୍ନିବୀର ସ୍ଥାୟୀ ହେବେ। ଏଥିପାଇଁ ବୟସ ସୀମା ରହିଛି ୧୭ ବର୍ଷ ୬ ମାସରୁ ୨୧ ବର୍ଷ। ଅଗ୍ନିବୀର ଯୋଜନା ଦ୍ୱାରା ସେନାରେ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ନଥିଲା । ଏପରକି ପେନସନ୍ ସୁବିଧାରୁ ମଧ୍ୟ ସେମାନେ ବଂଚିତ ହେବେ। ଯେଉଁମାନେ ଗଲା ୨ ବର୍ଷ ହେଲା ମେଡିକାଲ ଓ ଫିଜିକାଲ ଟେଷ୍ଟ ଦେଇ ଅପେକ୍ଷା କରିଥିଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ? ଏନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ଜଳିବା ପରେ ସେନାରେ ଭର୍ତ୍ତି ହେବାର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି କରାଯାଇ ଥିଲା ।
ଆପର ପଞ୍ଜାବ ଦଖଲ
ଚଳିତ ବର୍ଷ ଯଦି ରାଜନୈତିକ ଘଟଣାକ୍ରମକୁ ନଜର ପକାଯାଏ ତେବେ ସାମ୍ନାକୁ ଆସିବ ଆମ ଆଦମୀ ପାର୍ଟିର ଛବି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆପ୍ ନୂଆ ଇତହାସ ସୃଷ୍ଟି କରିଛି। ଦିଲ୍ଲୀ ପରେ ଆମ ଆଦୀମା ପାର୍ଟି ପଞ୍ଜାବରେ କ୍ଷମତା ଦଖଲ କରିଥିଲା। ପଞ୍ଜାବରେ ଆପ୍ ୧୧୭ଟି ମଧ୍ୟରୁ ୯୨ଟି ସିଟ୍ ଜିତି ୭୯ପ୍ରତିଶତ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏହି ନିର୍ବାଚନରେ ସୁବଠାରୁ ପୁରୁଣା ଦଳ କଂଗ୍ରେସ୍ ଏବଂ ବିଜେପିକୁ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଥିଲା ଆପ୍। ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ କୌଣସି ରାଜ୍ୟର କ୍ଷମତା ହାତେଇଥିଲା ଆପ୍।
୭୫ ବର୍ଷ ପରେ ଫେରିଲା ଚିତା
୧୯୪୭ରେ ଭାରତର ଶେଷ ଚିତାର ମୃତ୍ୟୁ ଘଟିଥିଲା ଛତିଶଗଡ଼ର କୋରେଆ ଜିଲାରେ। ଏହା ପରେ ବିଶ୍ୱର ଦ୍ରୁତତମ ପ୍ରାଣୀକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା। ଏହାର ୭୫ ବର୍ଷ ପରେ ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କକୁ ୬ ଆଫ୍ରିକୀୟ ଚିତା ଆସିଥିଲେ। ଗତ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଥିଲା । ସେମାନଙ୍କ ମଧ୍ୟରେ ୫ଟି ମାଈ ଚିତା ଥିବା ବେଳେ, ୩ଟି ଅଣ୍ଡିରା ଚିତା ଅଛନ୍ତି ।
ଶ୍ରଦ୍ଧା ହତ୍ୟାକାଣ୍ଡ
ଯେଉଁ ଅପରାଧ ଚଳିତ ବର୍ଷ ସମଗ୍ର ଦେଶକୁ ଦୋହଲେଇ ଦେଇଥିଲା, ତାହା ହେଉଛି ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ। ପ୍ରେମ ବିଦ୍ୱେଷ ଓ ହିଂସାର ଏକ କରୁଣ ରୂପ ସମସ୍ତଙ୍କୁ ବିଚଳିତ କରିଥିଲା। ମହାରାଷ୍ଟ୍ରର ଶ୍ରଦ୍ଧା ୱାକର ନାମ୍ନୀ ଜଣେ ଦଳିତ ଝିଅଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଫତାବ ପ୍ରେମ ଜାଲରେ ଫସାଇବା ପରେ ଲିଭ ଇନରେ ରହୁଥିଲା । ତେବେ ବିବାହ କରିବାକୁ ଶ୍ରଦ୍ଧା କହିବାରୁ ଅଫତାବ ମାନୁନଥିଲା । ପରେ ଏନେଇ ଯୁକ୍ତିତର୍କ ହେବାରୁ ଶ୍ରଦ୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କରି ଗତ ମେ’ ୧୮ ତାରିଖରେ ତାଙ୍କୁ ହତ୍ୟା କରିଥିଲା । ଖାଲି ହତ୍ୟା କରିନଥିଲା ଶବକୁ ୩୫ ଖଣ୍ଟ କାଟି ଫ୍ରିଜରେ ରଖିଥିଲା । ଆଫତାବ ପ୍ରେମିକା ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡରେ କାଟି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।
ଜି-୨୦ ଅଧ୍ୟକ୍ଷତା
ବିଦାୟ ବର୍ଷ ୨୦୨୨ ଦେଶ ପାଇଁ ଅନେକ ଆହ୍ୱାନପୂର୍ଣ୍ଣ ରହିଥିବା ବେଳେ ଅନେକ ସଫଳତା ମଧ୍ୟ ଆଣି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୨ରେ ଭାରତକୁ ମିଳିଛି ଅଦ୍ଭୁତପୂର୍ବ ସଫଳତା। ଯାହାକି ଆଗାମୀ ବର୍ଷ ପାଇଁ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ । ଭାରତ ଆସନ୍ତା ବର୍ଷ ତଥା ୨୦୨୩ ନଭେମ୍ବର ୩୦ ପର୍ଯ୍ୟନ୍ତ ଜି-୨୦ ଅଧ୍ୟକ୍ଷତା ପାଇଁ ଯୋଗ୍ୟତା ହାସଲ କରିଛି । ଆତଙ୍କବାଦ ଠାରୁ ଆରମ୍ଭ କରି ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତ ବିଶ୍ୱ ଦୃଷ୍ଟି ଆକର୍ଷଣ କରିବାର ସୁଯୋଗ ପାଇବ ଏବଂ ଏଥିରେ ସହମତ ହେବାର ସୁଯୋଗ ମଧ୍ୟ ପାଇବ। ଭାରତ ଜି -୨୦ର ଅଧ୍ୟକ୍ଷ ହେବା ମାତ୍ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପିଏମ ମୋଦିଙ୍କ ପ୍ରଶଂସକ ସାଜିଛନ୍ତି।