ଭାଷଣରେ ବାଧା ଦେବାରୁ କଂଗ୍ରେସ ସାଂସଦଙ୍କୁ ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଆଜି ଲୋକସଭାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜଣାଇବା ବେଳେ ବିରୋଧୀ ସଦସ୍ୟମାନେ ବାରମ୍ବାର ବାଧା ଉପୁଜାଇଥିଲେ। ଏପରି କି ସେମାନେ ନାରାବାଜୀ ମଧ୍ୟ କରିଥିଲେ। କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଦାବି କରିଥିଲେ। ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବେଳେ ବାଧା ଉପୁଜାଇବାରୁ ସେ ଭାରି ବ୍ୟସ୍ତ ହୋଇପଡ଼ିଥିଲେ। ତାଙ୍କ ଭାଷଣ ବେଳେ କଂଗ୍ରେସ ସାଂସଦ ଅଧୀର […]

modi

Hemant Lenka
  • Published: Wednesday, 10 February 2021
  • , Updated: 10 February 2021, 06:42 PM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜଣାଇବା ବେଳେ ବିରୋଧୀ ସଦସ୍ୟମାନେ ବାରମ୍ବାର ବାଧା ଉପୁଜାଇଥିଲେ। ଏପରି କି ସେମାନେ ନାରାବାଜୀ ମଧ୍ୟ କରିଥିଲେ।

କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଦାବି କରିଥିଲେ। ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବେଳେ ବାଧା ଉପୁଜାଇବାରୁ ସେ ଭାରି ବ୍ୟସ୍ତ ହୋଇପଡ଼ିଥିଲେ। ତାଙ୍କ ଭାଷଣ ବେଳେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ବାରମ୍ବାର ବିଭ୍ରାଟ ସୃଷ୍ଟି କରିଥିଲେ।

ଏହା ଶୁଣି ପ୍ରଧାନମନ୍ତ୍ରୀ କେତେବେଳେ ଦାଦା କହି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ତ ଆଉ କେତେବେଳେ ତାଙ୍କୁ ତାଚ୍ଛଲ୍ୟ କରି ଭାଷଣ ଜାରି ରଖିଥିଲେ। ବାଚସ୍ପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଳେ ନାରାବାଜୀ ନ କରିବାକୁ କହିଥିଲେ।

ଏହି ସବୁ ଭିତରେ ମୋଦି ଯେତେବେଳେ କୃଷି ଆଇନ ଉପରେ କହିବା ଆରମ୍ଭ କଲେ ସେତେବେଳେ ବିରୋଧୀଙ୍କ ସ୍ୱର ଅଧିକ ଉଚ୍ଚ ହୋଇଥିଲା। ଏହା ଶୁଣି ମୋଦି କହିଥିଲେ, କୃଷି ଆଇନକୁ ନେଇ ଯେଉଁ ମିଥ୍ୟା ପ୍ରଚାର କରାଯାଉଛି, ତା’ର କାଳେ ପର୍ଦ୍ଦାଫାସ ହୋଇଯିବ ସେଥିପାଇଁ ଜୋରରେ ଚିତ୍କାର କରାଯାଉଛି। ହୋହାଲ୍ଲା ନ ହେଲେ, ସତ କଥା ଲୋକଙ୍କ ପାଖରେ ପହଞ୍ଚି ଯିବ।

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ବର୍ତ୍ତମାନ ଏମିତି ସ୍ଥିତିରେ ପହଞ୍ଚି ଯାଇଛି ଯେ ଦଳ କନଫ୍ୟୁଜନ ପାର୍ଟି ହୋଇ ରହି ଗଲାଣି। ସେ ଅଧୀର ରଞ୍ଜନ ଚୌଧୁରୀଙ୍କୁ କହିଥିଲେ ଯେ ଏବେ ବହୁତ ହୋଇଗଲାଣି। ଆପଣ ସବୁ ସୀମା କାହିଁକି ଟପି ଯାଉଛନ୍ତି ବୋଲି ମୋଦି ପ୍ରଶ୍ନ କରିଥିଲେ।

ବାଚସ୍ପତି ଓମ ବିର୍ଲା ମଧ୍ୟ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଓ ଅନ୍ୟ ବିରୋଧୀ ସଦସ୍ୟଙ୍କୁ ହୋହାଲ୍ଲା ନ କରିବାକୁ କହିଥିଲେ। ତଥାପି ସେମାନେ କିଛି ବି ଶୁଣି ନଥିଲେ।

କୃଷି ଆଇନ ଉପରେ ପ୍ରତିକ୍ରିୟା ଦେଇ ମୋଦି କହିଥିଲେ, ମୁଁ ଭାରତର ଚାଷୀମାନଙ୍କୁ ଗୋଟିଏ କଥା ପଚାରିବାକୁ ଚାହେଁ। କ’ଣ ବର୍ତ୍ତମାନର କୃଷି ଆଇନ ସେମାନଙ୍କ ଠାରୁ କୌଣସି ପ୍ରଚଳିତ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଉଛି କି? ନୂଆ କୃଷି ଆଇନ ସଂପୂର୍ଣ୍ଣ ଇଚ୍ଛାଧୀନ।

ଯେଉଁମାନେ ଚାହିଁବେ, କୃଷି ଆଇନକୁ ବିକଳ୍ପ ଭାବେ ବ୍ୟବହାର କରିପାରିବେ। ଯେଉଁମାନେ ପୁରୁଣା ବ୍ୟବସ୍ଥାରେ ଚାଷ କରିବା ଓ ନିଜର ଉତ୍ପାଦ ବିକ୍ରି କରିବାକୁ ଚାହିଁବେ, ଏହାକୁ କେହି ରୋକିବେ ନାହିଁ। ପୂର୍ବରୁ ଥିବା ମଣ୍ଡି ବ୍ୟବସ୍ଥାକୁ ଅଧିକ ଅତ୍ୟାଧୁନିକ କରିବାକୁ ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପୁରୁଣା ବ୍ୟବସ୍ଥା କେଉଁ ଆଡ଼େ ଯିବ ନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ମଧ୍ୟ ଜାରି ରହିବ।

ସରକାର ଆନ୍ଦୋଳନରତ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ରହିଛନ୍ତି। ସେମାନଙ୍କୁ ସମ୍ମାନ ଜଣାଇ ବରିଷ୍ଠ ମନ୍ତ୍ରୀମାନେ ପଞ୍ଜାବରେ ଆନ୍ଦୋଳନ ଚାଲିଥିବାବଳେ ଚାଷୀଙ୍କ ସହ ଆଲୋଚନା କରିଥିଲେ। କେବଳ ମିଛ କଥା କହି ଲୋକ ଓ ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଥିବା ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ଏବେ ଗୋଟିଏ ଯୁକ୍ତି ଶୁଣୁଛି ଯେ ଆମେ କ’ଣ କୃଷି ଆଇନ ପାଇଁ ଦାବି କରିଥିଲୁ କି? ଏହା ଏକ ବେତାଳିଆ ଯୁକ୍ତି। କାରଣ କେହି ବି ଯୌତୁକ ବିରୋଧୀ, ଟ୍ରିପଲ ତଲାକ ବିରୋଧୀ ଆଇନ କିମ୍ବା ଟଏଲେଟ ନିର୍ମାଣ ଯୋଜନା ପାଇଁ ଦାବି କରି ନଥିଲେ। ତଥାପି ଏଥିପାଇଁ ଆଇନ ଆସିଥିଲା। ଏବେ କୃଷି କ୍ଷେତ୍ରର ସଂସ୍କାର ପାଇଁ ଆଇନ ଅଣାଯାଇଛି ବୋଲି ମୋଦି କହିଛନ୍ତି।

Related story