ନୂଆଦିଲ୍ଲୀ: ଘରୋଇ ବିମାନ ଇଣ୍ଡିଗୋ ଆଜି ଘୋଷଣା କରିଛି ଆସନ୍ତା ମେ’ ୪ରୁ ଏହା ସେବା ଆରମ୍ଭ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକାଳ ୧୦ ଘୋଷଣା ପରେ ଏହି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏପରି ନିଷ୍ପତ୍ତି ନେଇଛି। କରୋନା ମୁକାବିଲା ପାଇଁ ଘୋଷିତ ଲକ୍ଡାଉନ୍ ସରିବା ପରେ ଧୀରେ ଧୀରେ ଉଡ଼ାଣ ସ୍ୱାଭାବିକ କରାଯିବ।
ତେବେ ଏହି ଘରୋଇ କମ୍ପାନୀ ପକ୍ଷରୁ କୁହାଯାଇଛି ବିମାନ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। କମ୍ପାନୀ ପକ୍ଷରୁ କୁହାଯାଇଛି, ବିମାନ ସେବା କିଛି କଟକଣା ସହିତ ଏବଂ ଉଡ଼ାଣର ମାତ୍ରା କମାଇ ପୁଣି ଆରମ୍ଭ କରାଯିବ। ପ୍ରାଥମିକ ଭାବେ ଘରୋଇ ଉଡ଼ାଣ କରାଯିବ ବା କେବଳ ଦେଶ ଭିତରେ ଉଡ଼ାଣ ହେବ। ପରେ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବିଚାର କରାଯିବ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ ଲକ୍ଡାଉନ୍ ଅବଧି ଆଜି ସରିଥା’ନ୍ତା। ତେବେ ମୋଦି ଆଜି ଘୋଷଣା କରି କହିଛନ୍ତି ଏହା ମେ’ ୩ ଯାଏ ବୃଦ୍ଧି ପାଇବ। ହି ସମୟରେ କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ ପାଇଁ ବିମାନ ଏବଂ ଟ୍ରେନ୍ ବ୍ୟବହାର ହେଉଛି। କିନ୍ତୁ ସାଧାରଣ ଯାତ୍ରୀଙ୍କ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ ରହିଛି।