ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗଦାଦିର ମୃତ୍ୟୁକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଗତାକାଲି ରାତିରେ ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ବାଗଦାଦିର ମୃତ୍ୟୁ ହୋଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିକୁ ଘେରିଥିଲା ଆମେରିକା ସେନା। ତେବେ ବାଗଦାଦି ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା। ଏହାପରେ ଆମେରିକା ସେନା ତାର ପିଛା କରିବାରୁ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି ବାଗଦାଦି। ବାଗାଦାଦି ଏବଂ ତା’ର ସ୍ତ୍ରୀ ବିସ୍ଫୋରକ ଜ୍ୟାକେଟ୍କୁ ସକ୍ରିୟ କରି ଏହି ବିସ୍ଫୋରଣ କରିଥିଲେ ବୋଲି ଇରାକ୍ର ଜଣେ ସୁରକ୍ଷା କର୍ମୀ କହିଛନ୍ତି। ବାଗଦାଦି ସହ ତାର ୩ଟି ସନ୍ତାନ ଏବଂ ଅନେକ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।
ଆତଙ୍କବାଦୀ ସଂଗଠନ ISISର ମୁଖ୍ୟ ଥିବା ବାଗଦାଦି ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ରୁଷ, ସିରିଆ ଏବଂ ତୁର୍କୀର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।
ସୂଚନାଯୋଗ୍ୟ ଯେ, ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଗୁଇନ୍ଦା ସଂସ୍ଥା ବାଗଦାଦିକୁ ଖୋଜିବାରେ ଲାଗିଥିଲା। ଏପରିକି ତା’ ବାବଦରେ ସୂଚନା ଦେଲେ ୨୫ ମିଲିଅନ ଆମେରିକୀୟ ଡଲାର ମିଳିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଏସବୁକୁ ଧୂଳିଦେଇ ବାଗଦାଦି ଖସିଆସୁଥିଲା। ଆଜି ସକାଳୁ ହିଁ ଟ୍ରମ୍ପ ପରୋକ୍ଷରେ ଏବାବଦରେ ସୂଚନା ଦେବା ସହ ରୁଷ, ସିରିଆ, ତୁର୍କୀ ଏବଂ ସିରିଆର କୁର୍ଦ୍ଦିସ୍ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ବାଗଦାଦି ଅଲ୍-କାଏଦାରେ ପ୍ରଥମେ ମିଶିଥିଲା। ଏହାପରେ ଅନ୍ୟ ଇସ୍ଲାମିକ୍ ସଂଗଠନଙ୍କୁ ସାମିଲ କରି ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଗଠନ କରିଥିଲା। ୨୦୧୦ରେ ସେ ଏହାର ମୁଖ୍ୟ ହୋଇଥିଲା।