ରୋମ: ମହାମାରୀ କରୋନା ଭାଇରସ ସାର ବିଶ୍ୱକୁ କଲବଲ କରିବାରେ ଲାଗିଛି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଏଯାବତ ୨୧୦ଟି ଦେଶରେ କାୟା ବିସ୍ତାର କରି ଆଗକୁ ବଢ଼ିବାରେ ଲାଗିଛି। ପ୍ରତିଦିନ ବିଶ୍ୱରେ ହଜାର ହଜାର ଲୋକ ଏହି ମହାମାରୀ ଯୋଗୁ ପ୍ରାଣ ହରାଇବାରେ ଲାଗିଛନ୍ତି।
ବିଶେଷ କରି ୟୁରୋପୀୟ ଦେଶ ଓ ଆମେରିକା ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏହି ମହାମାରୀ ସାରା ବିଶ୍ୱରେ ୬ ହଜାରରୁ ଅଧିକ ମୁଣ୍ଡ ନେଇଛି। ଫଳରେ ସାରା ବିଶ୍ୱରେ କରୋନା ଯୋଗୁ ୧୮,୫୮,୮୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୧୪,୬୯୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୪,୨୯,୦୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆମେରିକାରେ କରୋନା ସର୍ବାଧିକ ଲୋକଙ୍କୁ କବଳିତ କରିଥିବା ବେଳେ ଏଯାଏ ଏଠାରେ ୨୨ ହଜାରରୁ ଅଧିକ ଜୀବନ ଯାଇଛି। ଗତ ୨୪ ଘଣ୍ଟାରେ ଏଠାରେ ୧୫୨୮ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଇଟାଲୀ ଓ ଫ୍ରାନ୍ସର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଏହି ଦୁଇ ରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।
୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୩୧୫ ଜଣଙ୍କ ଜୀବନ ଯାଇଛି। ତା’ ପୂର୍ବଦିନ ଏଠାରେ ୩୪୫ ଜଣ ପ୍ରାଣ ହରାଇଥିଲେ। ୩ ସପ୍ତାହ ଭିତରେ ସବୁଠାରୁ କମ ମୃତ୍ୟୁସଂଖ୍ୟା ଇଟାଲୀରେ ରେକର୍ଡ ହୋଇଛି। ରବିବାର ଏଠାରେ ୪୩୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ମୋଟ ଉପରେ ଦେଖିବାକୁ ଗଲେ ଫ୍ରାନ୍ସରେ ଏଯାଏ ୧୪,୩୯୩ ଜଣ ପ୍ରାଣ ହରାଇଥିବା ବେଳେ ଇଟାଲୀରେ ମୃତ୍ୟୁସଂଖ୍ୟା ୧୯,୮୯୯ ରହିଛି।
ସେହିପରି ସ୍ପେନରେ ମୃତ୍ୟୁସଂଖ୍ୟା ୧୭,୨୦୯ ରେକର୍ଡ ହୋଇଛି। ଆମେରିକା ସ୍ଥିତି ସବୁଠାରୁ ଦୟନୀୟ ହୋଇଛି। ୨୪ ଘଣ୍ଟାରେ ଏଠାରେ ୧୫୨୮ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୨,୧୧୫ରେ ପହଞ୍ଚି ଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୫,୬୦,୪୩୩ ରହିଥିବା ବେଳେ ୩୨,୬୩୪ ଜଣ ସୁସ୍ଥ ହୋଇଛନ୍ତି। ନ୍ୟୁୱର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୬ହଜାର ୮୮୯ ଜଣ ପ୍ରାଣ ହରାଇଥିବା ବେଳେ ୫,୫୫,୩୯୮ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।
ସିଙ୍ଗାପୁରରେ ୨୩୩ କରୋନା ରୋଗୀ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୩୨ରେ ପହଞ୍ଚି ଯାଇଛି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୫୪ ଥିବା ବେଳେ ମୃତ୍ୟୁସଂଖ୍ୟା ୩୦୨୨ ରହିଛି। ବ୍ରିଟେନରେ ୧୦,୬୧୨, ଇରାନରେ ୪୪୭୪, ତୁର୍କୀରେ ୧,୧୯୮, ବେଲଜିୟରେ ୨୪ ଘଣ୍ଟାରେ ୩୦୩ ଜଣଙ୍କ ମୃତ୍ୟୁ ଘଟିବାରେ ଏଠାରେ ମୃତ୍ୟୁସଂଖ୍ୟା ୩,୯୦୩ ଛୁଇଁଛି।
ନେଦରଲ୍ୟାଣ୍ଡସରେ ୨୭୩୭, ସ୍ୱିଜରଲ୍ୟାଣ୍ଡରେ ୧୧୧୫, କାନାଡାରେ ୭୧୭, ବ୍ରାଜିଲରେ ୧୨୩୦, ରୁଷରେ ୧୪୮, ପର୍ତ୍ତୁଗାଲରେ ୫୦୪, ଅଷ୍ଟ୍ରିଆରେ ୩୬୮, ଇସ୍ରାଏଲରେ ୧୧୦, ଦକ୍ଷିଣ କୋରିଆରେ ୨୧୭, ସ୍ୱିଡେନରେ ୮୯୯ ଓ ପାକିସ୍ତାନରେ ୯୩ ଜଣଙ୍କ ମୃତ୍ୟୁ ଘଟିଛି।