କରନ ଜୋହରଙ୍କ ଘରେ ପଶିଲା କରୋନା

ମୁମ୍ବାଇ: ପ୍ରଖ୍ୟାତ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଘରେ ମହାମାରୀ କରୋନା ପ୍ରବେଶ କରିଛି। କରନଙ୍କ ମୁମ୍ବାଇ ସ୍ଥିତ ବାସଭବନରେ କାର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ନିଜେ କରନ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଆମ ଘରର ଦୁଇ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେମାନଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବା କ୍ଷଣି ଆମ ବଲଡିଂରେ ଥିବା ଏକ ପ୍ରକୋଷ୍ଠରେ ଉଭୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ବିଏମସିକୁ ଆମେ ଖବର ଦେବାକୁ ସେମାନେ ପୂରା ଘରକୁ ସାନିଟାଇଜ କରିଛନ୍ତି।

ଆମ ଘରର ଅନ୍ୟ ସଦସ୍ୟ ଓ କର୍ମଚାରୀ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି। ଆମର କାହାର ବି ଲକ୍ଷଣ ଦେଖାଯାଉ ନାହିଁ। କିନ୍ତୁ ସମସ୍ତଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ୧୪ ଦିନ ଆଇସୋଲେସନରେ ରହିବୁ।

ଆମେ କରୋନା ଆକ୍ରାନ୍ତ ହୋଇଥିବା ଦୁଇ ଜଣଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆମେ ଚେଷ୍ଟା କରିବୁ। ସେମାନେ କରୋନା ଯୁଦ୍ଧରେ ବିଜୟୀ ହୋଇ ଘରକୁ ଫେରିବେ ବୋଲି ଆମର ବିଶ୍ୱାସ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।