ବେଙ୍ଗାଲୁରୁ: କର୍ଣ୍ଣାଟକାର ମେଣ୍ଟ ସରକାରକୁ ଆଜି ଏକ ବଡ଼ ଝଟକା ଲାଗିଛି। ଆଜି କଂଗ୍ରେସର ଦୁଇ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବେଲଗଭି ଜିଲ୍ଲାର ବିଜୟନଗର କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଏବଂ ଗୋକକ କଂଗ୍ରେସ ବିଧାୟକ ରମେଶ ଜାରକିହୋଲି ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଉଭୟ ବିଧାୟକ ବାଚସ୍ପତି କେ.ଆର ରମେଶ କୁମାରଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ରହିଛି।
ଏହାରି ଭିତରେ କଂଗ୍ରେସର ଆହୁରି ୫ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଖୁବଶୀଘ୍ର ଇସ୍ତଫା ଦେଇଥିବା ବିଧାୟକ ମାନେ ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନଜରରେ ରଖି କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଦରମାୟା ତାଙ୍କ ବେଙ୍ଗାଲୁରୁ ବାସଭବନରେ ଦଳୀୟ ବିଧାୟକ ବୈଠକ ଡ଼ାକିଛନ୍ତି।
ମେଣ୍ଟ ସରକାରରେ ଅସନ୍ତୁଷ୍ଟ ଏବଂ ତାଙ୍କ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଯୋଗାଇ ଦେବାକୁ ଥିବା ଜମିକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ବୋଲି ଆନନ୍ଦ ସିଂହ କହିଛନ୍ତି। ନିକଟରେ କର୍ଣ୍ଣାଟକା ସରକାର ବେଲଗଭି ଜିଲ୍ଲାରେ ଜେଏସଡବ୍ଲ୍ୟୁ କମ୍ପାନୀକୁ ଶିଳ୍ପ ପ୍ରତିଷ୍ଠା ପାଇଁ ୩,୬୬୭ ଏକର ଜମି ଯୋଗାଇ ଦେବ ବୋଲି ଜଣାପଡ଼ିଛି। ଏହି ଜମି ଯୋଗାଇବାକୁ ନେଇ ବିଧାୟକ ବିରୋଧ କରିଥିଲେ। ଏହାଦ୍ୱାରା ତାଙ୍କ ଅଞ୍ଚଳର ଲୋକ କ୍ଷତିରେ ପଡ଼ିବେ ବୋଲି ସେ କହିଥିଲେ। ବିଧାୟକ ଆନନ୍ଦ ସିଂହ ଏହାରି ଭିତରେ ରାଜ୍ୟପାଳ ଭଜୁଭାଇ ବାଲାଙ୍କୁ ଭେଟି ମଧ୍ୟ ନିଜ ଇସ୍ତଫା ବାବଦରେ ଅବଗତ କରାଇଛନ୍ତି।
ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆମେରିକା ଗସ୍ତରେ ଥିବା ବେଳେ ରାଜ୍ୟ ରାଜନୀତିର ଏହି ସୂଚନା ବାବଦରେ ସେ ଅବଗତ ଥିବା ଟ୍ୱିଟ୍ କରି କହିଛନ୍ତି। ବିଜେପି ଚାପ ପ୍ରୟୋଗ କରି ଦୁଇ କଂଗ୍ରେସ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରୁଛି ବୋଲି କୁମାରସ୍ୱାମୀ କହିଛନ୍ତି।
୨୦୧୮ରେ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ମୋଟ ୨୨୫ ଆସନରୁ କଂଗ୍ରେସ ୮୦ଟି ଆସନ, ଜେଡିଏସ ୩୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିଲା। ସରକାର ଗଢ଼ିବା ପାଇଁ ୧୧୩ ରହିଛି ମ୍ୟାଜିକ ନମ୍ୱର। କଂଗ୍ରେସ ଓ ଜେଡିଏସ ପାଖରେ ମୋଟ ୧୧୭ ଜଣ ବିଧାୟକ ରହିଛନ୍ତି। ଏବେ ଦୁଇ କଂଗ୍ରେସରୁ ଏବଂ ଆଉ ୫ ବିଧାୟକ ଯଦି ଇସ୍ତଫା ଦେଇ ଦିଅନ୍ତି ତାହାଲେ ମେଣ୍ଟ ସରକାର ଭାଙ୍ଗିଯିବାର ସମ୍ଭାବନା ମଧ୍ୟ ରହିଛି। କାରଣ ବିରୋଧୀ ଦଳ ବିଜେପି ଯଦି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ପ୍ରମାଣ ମାଗେ ତାହଲେ ମେଣ୍ଚ ସରକାର ପାଖରେ ମୋଟ ୧୧୦ ଜଣ ବିଧାୟକ ରହିବେ। ଯାହାକି ମ୍ୟାଜିକ ନମ୍ୱରଠୁ ଦୂରରେ। ଏହି ସ୍ଥିତିରେ ଝୁଲା ବିଧାନସଭା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ଏବଂ ଆଗାମୀ ଦିନରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇପାରେ।