ବେଙ୍ଗାଲୁରୁ: ୧୩ ମାସର ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ବଞ୍ଚାଇବା ପାଇଁ ୨୨ ଜଣ କଂଗ୍ରେସ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେମାନେ ଦଳର କର୍ଣ୍ଣାଟକା ମୁଖ୍ୟ ଦିନେଶ ଗୁଣ୍ଡୁ ରାଓଙ୍କୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହେଉଛି। ସେମାନେ କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଜି ପରେମଶ୍ୱରଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ କର୍ଣ୍ଣାଟକାରେ ଲାଗିରହିଥିବା ରାଜନୀତିକ ସଙ୍କଟ ଏକ ଜଟିଳ ସ୍ତରରେ ପହଞ୍ଚିସାରିଛି। ଗୋଟିଏ ପଟେ ୧୦୫ ବିଧାୟକଙ୍କ ସହିତ ବିଜେପି ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ମେଣ୍ଟ ନିଜ ବିଧାୟକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଆଜି ବୈଠକ ପୂର୍ବରୁ ପରମେଶ୍ୱର କହିଥିଲେ, ସରକାର ବଞ୍ଚାଇବାକୁ ସେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି।
ସେ କହିଥିଲେ, ଆମେ ଜାଣିଛୁ ବିଜେପି କ’ଣ କରିବାକୁ ଚାହୁଁଛି। ଯଦି ଆବଶ୍ୟକତା ପଡ଼େ ଆମେ ସମସ୍ତେ ଇସ୍ତଫା ଦେବୁ ଏବଂ ଆମ ବିଧାୟକମାନଙ୍କୁ ମନ୍ତ୍ରୀପଦ ଦେବୁ।
ସୂଚନାଯୋଗ୍ୟ ଯେ, ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଏକ ହୋଟେଲରେ ଅଛନ୍ତି, ଯେଉଁଠାରେ ଗତ ଜାନୁଆରୀରେ ମଧ୍ୟ କିଛି ବିଧାୟକ ଥିଲେ। ଏହି ବିଧାୟକ ମାନଙ୍କୁ ମହାରାଷ୍ଟ୍ରର କିଛି ବରିଷ୍ଠ ବିଜେପି ନେତା ଭେଟିଥିବା କୁହାଯାଉଛି। ସେମାନେ ଇସ୍ତଫା ଦେବା ସମୟରେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ବିଦେଶରେ ଥିଲେ। ଏବେ ବେଙ୍ଗାଲୁରୁ ଫେରି ମାରାଥନ୍ ବୈଠକ ଚଲାଇଛନ୍ତି।