ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ତ୍ତାରପୁର କରିଡ଼ରର ଉଦଘାଟନ କରିଛନ୍ତି। ଏହି କରିଡ଼ର ପାକିସ୍ତାନ ପଞ୍ଜାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଫଳରେ ଦେଶର ଶିଖ ସମାଜର ଶ୍ରଦ୍ଧାଳୁ ଗୁରୁ ନାନକଙ୍କ ପବିତ୍ର ସ୍ଥାନ ଦରବାର ସାହିବକୁ ଦର୍ଶନ କରିବା ପାଇଁ ଯିବା ରାସ୍ତା ସହଜ ହୋଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ସରକାର, ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଭାରତୀୟ ଶ୍ରଦ୍ଧାଳୁଙ୍କ ଆବେଗକୁ ଇମ୍ରାନ୍ ସମ୍ମାନ ଦେଇଥିବାରୁ ମୋଦି ଏହି ଧନ୍ୟବାଦ ଦେଇଛନ୍ତି। ଏଥିସହ ପଞ୍ଜାବ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୋଦି।
ଡେରା ବାବା ନାନକରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସମ୍ୱୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ପୂରଣ ପୂର୍ବରୁ ଏହି ପବିତ୍ର ଭୂମିରେ କର୍ତ୍ତାରପୁର କରିଡ଼ର ଉଦଘାଟନ ହେବା ମୋ ପାଇଁ ବହୁତ ଖୁସିର ବିଷୟ। ଏହି ଅବସରରେ ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟର ଉଦଘାଟନ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ। ଗୁରୁ ନାନକ କେବଳ ଭାରତୀୟ ଶିଖ ସମାଜର ଗୁରୁ ନୁହନ୍ତି ବରଂ ମାନବ ଜାତି ପାଇଁ ସେ ଜଣେ ପ୍ରେରଣାର ଉତ୍ସ ବୋଲି ମୋଦି କହିଛନ୍ତି।