ଥିରୁଭବନନ୍ତପୁରମ: ମାର୍ଚ୍ଚ ୨୨ରୁ ରାଜ୍ୟବ୍ୟାପୀ ବନ୍ଦ ଥିବା ମଦ ଦୋକାନ ଗୁଡ଼ିକୁ ଖୋଲିବାକୁ କେରଳ ସରକାର ନିଷ୍ପତ୍ତି ନେଇଛି। ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ଦିନଠାରୁ କେନ୍ଦ୍ର ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ ହେଁ କେରଳ ସରକାର କରୋନା ସଂକ୍ରମଣ ଯୋଗୁ ଏହାକୁ ପାଳନ କରି ନଥିଲେ।
କିନ୍ତୁ ଏବେ କେରଳ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ୩୦୧ଟି ମଦ ଦୋକାନ ଏକାଥରେ ଖୋଲିବ। ହେଲେ ଲୋକମାନେ ସିଧାସଳଖ ମଦ ଦୋକାନରୁ ଏହାକୁ କିଣି ପାରିବେ ନାହିଁ। ଏଥିପାଇଁ ମଦ କିଣିବାକୁ ଚାହୁଁଥିବା ଲୋକମାନେ ଅନଲାଇନ ୱେବ ପୋର୍ଟାଲ ମାଧ୍ୟମରେ ବୁକିଂ କରିବେ।
ଏହାପରେ ଦୋକାନ ପାଖକୁ ଯାଇ ମଦ ଆଣିବେ। ବୁକିଂ କରିବା ବେଳେ କେତେ ବେଳେ ମଦ ନେବାକୁ ଆସିବାକୁ ହେବ, ସେକଥା ଜଣାଇ ଦିଆଯିବ। ମଦ ଦୋକାନ ଆଗରେ ପ୍ରବଳ ଭିଡ଼ ଜମିବାର ଆଶଙ୍କା ଥିବାରୁ କେରଳ ସରକାର ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଦୋକାନ ଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏହାର ତାରିଖ ଏଯାଏ ଘୋଷଣା ହୋଇନାହିଁ।