ମମତାଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ 

କୋଲକାତା:କିଛିଦିନ ଧରି ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର ‘ନବାନ୍ନ’ ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ୧୪ଟି ମେଡିକାଲ କଲେଜର ମୋଟ୨୪ […]

WB DOCTOR END STRIKE

Subhransu Sekhar
  • Published: Monday, 17 June 2019
  • , Updated: 17 June 2019, 07:00 PM IST

କୋଲକାତା:କିଛିଦିନ ଧରି ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର 'ନବାନ୍ନ' ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ୧୪ଟି ମେଡିକାଲ କଲେଜର ମୋଟ୨୪ ଜଣ ଡାକ୍ତର, ପୁଲିସ କମିଶନର ଅନୁଜ ଶର୍ମା, ଡିଜିପି, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଡାକ୍ତରଙ୍କ ଦାବି ଅନୁଯାୟୀ କୋଲକାତାର ଦୁଇଟି ଆଞ୍ଚଳିକ ଗଣମାଧ୍ୟମ ଏହି ବୈଠକର ସିଧା ପ୍ରସାରଣ କରିଥିଲେ।

ତେବେ ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ ଦେଇଥିବା କଟୂ ମନ୍ତବ୍ୟ ବାବଦରେ କୌଣସି ଆଲୋଚନା ହୋଇନଥିବା ସୂଚନା ରହିଛି। ଅଥଚ ସେହି ମନ୍ତବ୍ୟକୁ ନେଇ ଅସଲରେ ଆଜି ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ।

ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ସହ ୬ଟି ଦାବି ରଖିଥିଲେ ଆନ୍ଦୋଳନକରୀ ଡାକ୍ତର। ତେବେ ମମତାଙ୍କ ସହ ଆଲୋଚନା ବେଳେ ଡାକ୍ତରମାନେ କେବଳ ସେମାନଙ୍କ ସୁରକ୍ଷା ଓ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇଥିବା ଜଣାପଡ଼ିଛି।

ବୈଠକରେ ଡାକ୍ତରମାନେ ମମତାଙ୍କୁ ନିଜର ‘ମୁରବି’ ବୋଲି ସମ୍ୱୋଧନ କରିଥିବା ଜଣାପଡ଼ିଛି। ଜରୁରୀକାଳୀନ ଓ୍ୱାର୍ଡରେ ରୋଗୀଙ୍କ ବ୍ୟତୀତ ୨ରୁ ଅଧିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲେ। ସେହିପରି, ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜୁଛି ସେଥିପାଇଁ ଡାକ୍ତରମାନେ ଆବଶ୍ୟକ ଫୋରମ ଦାବି କରିଥିଲେ। ତା ଛଡ଼ା, ଯେଉଁମାନେ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ସେମାନେ ମମତାଙ୍କ ନିକଟରେ ନିବେଦନ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଜରୁରୀକାଳୀନ ଓ୍ୱାର୍ଡରେ ୨ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ। ଏଥିସହ ପ୍ରତି ହସ୍ପିଟାଲରେ ୧୦ ସ୍ତରୀୟ ସୁରକ୍ଷା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଜଣେ ପୁଲିସ ଅଫିସର ଗୋଟିଏ ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ବୋଲି ମଧ୍ୟ ମମତା କହିଛନ୍ତି। ଏ ନେଇ ବୈଠକରେ ଉପସ୍ଥିତ ଥିବା ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମମତା। ଯେଉଁ ରୋଗୀଙ୍କର ମୃତ୍ୟୁ ହେବ ସେ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ ଫୋରମ୍ ଜରିଆରେ ଅବଗତ କରାଯିବ ବୋଲି ମମତା ବାନାର୍ଜୀ ଡାକ୍ତରଙ୍କୁ ପ୍ରତିଶ୍ରୁତି  ଦେଇଛନ୍ତି। ଏହି ଘଟଣାରେ ଏଯାଏ ୫ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ କୋଲକାତା ସ୍ଥିତ ନୀଲରତନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ଜୁନିୟର ଡାକ୍ତର ପରିବାହ ମୁଖୋପାଧ୍ୟାୟ ଆକ୍ରମଣର ଶିକାର ହୋଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପରିବାହଙ୍କ ସହିତ ୟଶ ଟେକଓ୍ୱାନୀ ନାମକ ଜଣେ ଜୁନିଅର ଡାକ୍ତର ମଧ୍ୟ ଆହତ ହୋଇଥିଲେ।

ଗତ ଗୁରୁବାର ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ କହିଥିଲେ, "ମୁଁ ଡାକ୍ତରଙ୍କ ଆନ୍ଦୋଳନକୁ ନିନ୍ଦା କରୁଛି। ପୁଲିସମାନେ ଡ୍ୟୁଟିରେ ଥିବା ବେଳେ ସହିଦ ହୋଇଯାଉଛନ୍ତି, ହେଲେ ଆନ୍ଦୋଳନ କରୁନାହାନ୍ତି।" ତା' ସହିତ ସେ ଶୁକ୍ରବାର ଅପରାହ୍ନ ୨ଟା ସୁଦ୍ଧା ଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ଚେତାବନୀ ଦେଇଥିଲେ। ସେ ଏହି ଆନ୍ଦୋଳନ ପଛରେ ବିଜେପି ଓ ସିପିଏମର ଭୂମିକା ଥିବା ମଧ୍ୟ ଅଭିଯୋଗ କରିଥିଲେ। ମମତାଙ୍କ ଏପରି ମନ୍ତବ୍ୟକୁ ବିରୋଧ କରି ପଶ୍ତିମବଙ୍ଗର ଡାକ୍ତରମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିଥିଲେ। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଇଣ୍ଡିଆନ ମେଡିକାଲ ଆସୋସିଏସନର ଡାକ୍ତରମାନେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଏକ ଆଇନ ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ।

ମମତାଙ୍କ ଏପରି ମନ୍ତବ୍ୟକୁ ବିରୋଧ କରି ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ସାରା ଦେଶରେ ୨୪ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଥିଲେ। କିନ୍ତୁ ମମତାଙ୍କ ସହ ଡାକ୍ତରଙ୍କ ବୈଠକ ପରେ ଏହା ପ୍ରତ୍ୟାହୃତ ହୋଇଛି।

Related story