ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲା ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ରେ ଲଢ଼ିବା ପାଇଁ ଦେଶର ପ୍ରତିଷ୍ଠିତ ଓକିଲ ହରିଶ ସାଲଭେ ୧ ଟଙ୍କା ନେଉଛନ୍ତି। ଅନ୍ୟପଟେ ପାକିସ୍ତାନ ପକ୍ଷରୁ କୁଳଭୂଷଣ ଯାଦବଙ୍କୁ ଗୁପ୍ତଚର ଦର୍ଶାଇବା ପାଇଁ ଲଢ଼ୁଥିବା ଖାଓ୍ୱର କୁରେଶୀ ୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ନେଉଛନ୍ତି।
ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ୨୦୧୭ ମେ ୧୫ରେ ଏକ ଟ୍ଵିଟ୍ କରି ଏବାବଦରେ ସୂଚନା ଦେଇଥିଲେ ଯେ, ହରିଶ ସାଲଭେ ଯାଦବଙ୍କ ମାମଲା ଲଢିବା ପାଇଁ ମାତ୍ର ଏକ ଟଙ୍କା ନେଉଛନ୍ତି।
ଅନ୍ୟପଟେ ପାକିସ୍ତାନ ସରକାର ଗତ ବର୍ଷ ସଂସଦରେ ବଜେଟ୍ ଉପସ୍ଥାପନ କରିବା ବେଳେ ଆଇସିଜେରେ ଯାଦବଙ୍କ ବିରୋଧରେ କେସ୍ ଲଢିବା ପାଇଁ ଓକିଲ ଖାଓ୍ଵର କୁରେଶୀଙ୍କୁ ୨୦ କୋଟି ଟଙ୍କା ଦିଆଯାଇଛି ବୋଲି କହିଥିଲେ। କେମ୍ବ୍ରିଜ ୟୁନିଭର୍ସିଟିରେ ଆଇନରେ ସ୍ନାତକ ହାସଲ କରିଥିବା କୁରେସୀ ଆଇସିଜେରେ ସବୁଠୁ କମ୍ ବୟସର ଓକିଲ।
ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ଦାମୀ ଓକିଲ ଚୟନ କରିବାକୁ ନେଇ ପାକିସ୍ତାନ ସରକାର ମଧ୍ୟ ସୋଶାଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି।
ସେହିପରି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୧୯୫୫ ମସିହାରେ ଜନ୍ମିତ ସାଲଭେଙ୍କ ଦୈନିକ ପାରିଶ୍ରମିକ ୩୦ ଲକ୍ଷ ଟଙ୍କା। କିନ୍ତୁ କୁଳଭୂଷଣଙ୍କ ପାଇଁ ସେ ମାତ୍ର ୧ ଟଙ୍କା ନେଉଛନ୍ତି। ୧୯୯୯-୨୦୦୨ ପର୍ଯ୍ୟନ୍ତ ସେ ଦେଶର ସଲିସିଟର୍ ଜେନେରାଲ ଥିଲେ। ସାଲଭେଙ୍କ ବାପା ଏନ.କେ.ପି.ସାଲଭେ ପୂର୍ବତନ କଂଗ୍ରେସ ସାଂସଦ, ମନ୍ତ୍ରୀ ଏବଂ କ୍ରିକେଟ ପ୍ରଶାସକ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।