ମୁମ୍ୱାଇ: ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଜେଲରୁ ଛାଡ଼ିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ତାଙ୍କ ସାଙ୍ଗ ସଚିନ୍ କାଲେ। ଗତକାଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପରେ ଏହି ଅପିଲ୍ କରିଛନ୍ତି କୁଳଭୂଷଣଙ୍କ ସାଙ୍ଗ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାନ୍ ଶପଥ ନେଲା ବେଳେ ନୂଆ ପାକିସ୍ତାନର କଥା କହିଥିଲେ। ତେଣୁ ଏବେ କୁଳଭୂଷଣ ଯାଦବଙ୍କୁ ଜେଲରୁ ଛାଡ଼ି ନୂଆ ପାକିସ୍ତାନର ପ୍ରତିଶ୍ରୁତି ପୂରଣ କରିବାକୁ କୁଳଭୂଷଣଙ୍କ ସାଙ୍ଗ ସଚିନ କାଲେ କହିଛନ୍ତି। ଏହାଦ୍ୱାରା ଭାରତ ସହିତ ମଧ୍ୟ ଭଲ ସମ୍ପର୍କ ତିଆରି ହୋଇପାରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଏଥିରେ ରୋକ୍ ଲଗାଇଛନ୍ତି।
ଆଇସିଜେର ମୋଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଭୋଟ୍ ଦେଇଥିଲେ। ଏତଦ୍ବ୍ୟତୀତ ବର୍ତ୍ତମାନ ଭାରତ କୁଳଭୂଷଣଙ୍କ ପାଇଁ ଆଇନଗତ ଲଢ଼େଇ ମଧ୍ୟ ଲଢ଼ିପାରିବ ବୋଲି କୋର୍ଟ କହିଛନ୍ତି। ହେଗ୍ଠାରେ ଥିବା ଜାତିସଂଘ କୋର୍ଟଠାରେ ଏହି ରାୟ ଶୁଣାଣି କରାଯାଇଥିଲା।
୪୯ ବର୍ଷ ବୟସ୍କ କୁଳଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା। ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି। ସେ ଇରାନ୍ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି। ଏହାର ଏକ ବର୍ଷ ପରେ ପାକିସ୍ତାନର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀଦଣ୍ଡ ଦେଇଥିଲା। ଏହାକୁ ନେଇ ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ଭାରତ ନ୍ୟାୟ ପାଇଁ ପାକିସ୍ତାନ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।