ଗୌହାଟୀ: ଜମି ପାଇଁ ଦିଆଯାଉଥିବା ଖଜଣାର କାଗଜ, ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ପାନ କାର୍ଡ କେବେ ହେଲେ ଜଣେ ବ୍ୟକ୍ତିଙ୍କ ନାଗରିକତାର ପ୍ରମାଣ ଭାବେ ବିଚାର କରାଯାଇ ପାରିବ ନାହିଁ। ଏଗୁଡ଼ିକ ଦେଲେ ମଧ୍ୟ ବ୍ୟକ୍ତି ଜଣଙ୍କ ଯେ ଭାରତର ନାଗରିକ, ତା’ ଭାବିବା ଭୁଲ ବୋଲି ଆଜି ଗୌହାଟୀ ହାଇକୋର୍ଟ କହିଛନ୍ତି।
ଜଣେ ମହିଳାଙ୍କୁ ଟ୍ରିବ୍ୟୁନାଲ ବିଦେଶୀ କ୍ୟାଟାଗୋରୀରେ ରଖିଥିବାରୁ ସେ ଏହା ବିରୋଧରେ ଗୌହାଟୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନକୁ ଖାରଜ କରି ହାଇକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ଗୌହାଟୀ ହାଇକୋର୍ଟ ଏଭଳି ରୁଲିଂ ଦେଇଥିଲେ ହେଁ ଆସାମ ଏନଆରସି ବେଳେ ଲୋକଙ୍କୁ ନାଗରିକତାର ପ୍ରମାଣ ଦେବା ପାଇଁ ଜମି କାଗଜପତ୍ର ଓ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଖାଇବାକୁ ପଡ଼ିଥିଲା। ହେଲେ ଏବେ ଗୌହାଟୀ ହାଇକୋର୍ଟ ଏହା ବିରୋଧରେ ହିଁ ରୁଲିଂ ଦେଇଛନ୍ତି।
ଗତବର୍ଷ ଅଗଷ୍ଟ ମାସରେ ଆସାମ ଏନଆରସି ତାଲିକା ପ୍ରକାଶ ପାଇଥିଲା। ଏଥିରେ ପ୍ରାୟ ୧୯ ଲକ୍ଷ ଲୋକ ଭାରତୀୟ ହେବାର ଅଧିକାର ହରାଇଥିଲେ। ତାଲିକାରୁ ବାଦ ପଡ଼ିଥିବା ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ରାଜ୍ୟରେ ଏକାଧିକ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ଟ୍ରିବ୍ୟୁନାଲରେ ଖାରଜ ହେଉଥିବା ଆବେଦନ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ବିଚାର ହେବାର ପ୍ରାବଧାନ ରହିଛି। ଯେଉଁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ତାଙ୍କର ସମସ୍ତ ପ୍ରକାରର ଆଇନଗତ ବିକଳ୍ପ ବ୍ୟବହାର କରିନାହାନ୍ତି, ସେଯାଏ କାହାକୁ ବି ଅଟକ କେନ୍ଦ୍ରରେ ରଖାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଜି ଗୌହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜିତ ଭୂୟାଁ ଓ ଜଷ୍ଟିସ ପୃଥ୍ୱୀଜ୍ୟୋତି ସାଇକିଆ କହିଛନ୍ତି, ୨୦୧୬ରେ ଏହି ଗୌହାଟୀ ହାଇକୋର୍ଟ ନାଗରିକତା ପ୍ରମାଣ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସେତେବେଳେ କୋର୍ଟ କହିଥିଲେ ଯେ ପାନ କାର୍ଡ ଓ ବ୍ୟାଙ୍କ ଷ୍ଟେଟମେଣ୍ଟ କେବେ ହେଲେ ଜଣଙ୍କ ନାଗରିକତାର ପ୍ରମାଣ ନୁହେଁ। ଏହି ରାୟ ଏବେ ବି କାଏମ ରହିଛି।
ସେହିପରି ଜମି ପାଇଁ ଖଜଣା ଦେଇ ଲୋକମାନେ ହାସଲ କରୁଥିବା ରସିଦ ମଧ୍ୟ ଜଣେ ନିଜର ନାଗରିକତା ପ୍ରମାଣ ପାଇଁ ବ୍ୟବହାର କରିପାରିବେ ନାହିଁ। ତେଣୁ ଟ୍ରିବ୍ୟୁନାଲ ଏହି ଦସ୍ତାବିଜକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କୁ ବିଦେଶୀ ନାଗରିକ ଘୋଷଣା କରିଥିଲେ। ହାଇକୋର୍ଟ ମଧ୍ୟ ଟ୍ରିବ୍ୟୁନାଲଙ୍କ ରାୟରେ ସନ୍ତୁଷ୍ଟ।
ଜାବେଦା ବେଗମ ଓରଫ ଜାବେଦା ଖାତୁମଙ୍କୁ ପ୍ରଥମେ ଟ୍ରିବ୍ୟୁନାଲ ବିଦେଶୀ ନାଗରିକ ବୋଲି କହିଥିଲେ। ତାଙ୍କୁ ଆବେଦନ ସେଠାରେ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ଏହି ସମାନ ଖଣ୍ଡପୀଠ ଆଉ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ଭୋଟର ପରିଚୟପତ୍ର ମଧ୍ୟ ନାଗରିକତାର ପ୍ରମାଣ ନୁହେଁ।
ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ନାଗରିକତ୍ୱ ପାଇଁ ପଞ୍ଜୀକରଣ ନିୟମ ରହିଛି।
ନିଜ ନାଁକୁ ପଞ୍ଜୀକରଣ କରିବାକୁ ହେଲେ ୧୯୭୧ ମସିହା ମାର୍ଚ୍ଚ ୨୪ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ପରିବାର ବର୍ଗ ଆସାମରେ ରହୁଥିଲେ ବୋଲି ଉପଯୁକ୍ତ ଦସ୍ତାବିଜ୍ ଦେବାକୁ ପଡ଼ିବ। କାରଣ ୧୯୭୧ ମସିହା ମାର୍ଚ୍ଚ ୨୫ରେ ବାଲାଂଦେଶ ଲିବରେସନ୍ ୱାର୍ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧ ଡିସେମ୍ୱର ୧୬ ଯାଏ ଚାଲିଥିଲା ଏବଂ ବିଧିବଦ୍ଧ ଭାବେ ବାଂଲାଦେଶ ଗଠିତ ହୋଇଥିଲା।
କିନ୍ତୁ ମାର୍ଚ୍ଚ ୨୬ରୁ ହିଁ ଶେଖ୍ ମୁଜିବୁର୍ ରେହମାନ୍ ବାଂଲାଦେଶ ଗଠନ ହେଲା ବୋଲି ଘୋଷଣା କରିଥିଲେ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନ୍ଆର୍ସି ପକ୍ଷରୁ ଆସାମରେ ନାଗରିକତ୍ୱ ପାଇଁ ନିୟମ ପ୍ରଣୟନ କରାଯାଇଥିଲା।
ପ୍ରଥମ ଏନ୍ଆର୍ସି ଡ୍ରାଫ୍ଟ ୧୯୫୧ରେ ରିଲିଜ୍ କରାଯାଇଥିଲା। ସେତେବେଳେ ଆସାମର ଜନସଂଖ୍ୟା ୮୦ ଲକ୍ଷ ରହିଥିଲା। ତେବେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏଏଏସ୍ୟୁ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୨୦୦୫ରେ ଏନ୍ଆର୍ସି ଡ୍ରାଫ୍ଟକୁ ଅପଡେଟ୍ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଅପଡେଟ୍ ସମୟରେ ବିଭିନ୍ନ ସ୍ଥାନରେ ହିଂସା ଘଟିବାରୁ ଏହାକୁ ବନ୍ଦ ରଖାଯାଇଥିଲା। ୨୦୦୯ରେ ଆସାମ ପବ୍ଲିକ୍ ୱାର୍କସ୍(ଏପିଡବ୍ଲ୍ୟୁ) ନାମକ ଏକ ଏନ୍ଜିଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅପଡେଟ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ପାଖାପାଖି ୩.୨୯ କୋଟି ଲୋକ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ।