ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଚର୍ଚ୍ଚାକୁ ଆସିଥିବା ୟୁପିରେ ପୁଣି ଥରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି। ଏଥର ଅପହରଣ, ଗଣବଳାତ୍କାର, ବ୍ଲାକମେଲିଂର ଶିକାର ହୋଇଥିବା ପୀଡ଼ିତା ଖୋଦ ଜଣେ ୧୯ ବର୍ଷୀୟା ଆଇନ ଛାତ୍ରୀ। ଏହାସତ୍ତ୍ୱେ ପୁଲିସ୍ଠାରୁ ନ୍ୟାୟ ନ ପାଇ ମାନସିକ ଭାବେ ନିର୍ଯାତିତ ହୋଇ ଶେଷରେ ସେ ନିଜ ଜୀବନ ହାରିଛନ୍ତି।
ଆଇନ ଛାତ୍ରୀଜଣକ ଗଣବଳାତ୍କାର ନେଇ ଗତ ଅକ୍ଟୋବର ୨୪ ତାରିଖରେ ଥାନାରେ ଲିଖିତ ମାମଲା କରିଥିଲେ। ହେଲେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ କୌଣସି ତତ୍ପରତା ପ୍ରକାଶ କଲା ନାହିଁ।
ଯୁବତୀଜଣକ ଛାଡ଼ି ଯାଇଥିବା ସୁଇସାଇଡାଲ ନୋଟରେ ୩ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିଛନ୍ତି। ସେମାନେ ତାଙ୍କୁ ଗଣବଳାତ୍କାର କରି ତାହାର ଭିଡିଓ ସୁଟ କରିଥିଲେ। ଏହାପରେ ରାସ୍ତାରେ ଛାଡ଼ି ପଳାଇଥିଲେ। କିନ୍ତୁ ଘଟଣା ସମ୍ପର୍କରେ ବାହାରେ ପ୍ରଘଟ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଉଥିବା ଉଲ୍ଲେଖ ଅଛି।
ମାତ୍ର ଏନେଇ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ମାନସିକ ଚାପରେ ରହୁଥିବା ପୀଡ଼ିତା ଶେଷରେ ଗତ ସୋମବାର ଆତ୍ମହତ୍ୟା କରିଥିବା ଜଣାଯାଇଛି।।
ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ୩ ସପ୍ତାହ ଧରି ଚୁପଚାପ ବସି ରହିଥିବା ୟୁପି ପୁଲିସ୍ କିନ୍ତୁ ତାଙ୍କ ଆତ୍ମହତ୍ୟା ପରେ ବେଶ୍ ତତ୍ପର ହୋଇଉଠିଛି। ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଯୁବତୀଙ୍କ ଆତ୍ମହତ୍ୟାର ଦିନକ ପରେ ପୁଲିସ୍ ତରବରିଆ ଭାବେ ହରିଆଣାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ତଦନ୍ତ କାର୍ଯ୍ୟ ସମ୍ଭାଳୁଥିବା ୨ ପୁଲିସ୍ଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।