ବେଙ୍ଗାଲୁରୁ: ଲକଡାଉନ ଯୋଗୁ ବନ୍ଦ ଥିବା ମଦ ଦୋକାନ ଖୋଲିବା ପରେ ଏହାକୁ କିଣିବା ପାଇଁ ଏବେ ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ସାମାଜିକ ଦୂରତା ରକ୍ଷା କରି ମଦ କିଣିବାକୁ ସରକାର କହିଥିଲେ ହେଁ ମଦ୍ୟପମାନେ ଏହାକୁ ଖାତିର କରୁନାହାନ୍ତି।
ଦେଢ଼ ମାସ ହେଲା ପାଟି ଆମ୍ବିଳା ହୋଇଯାଇଥିବାରୁ ମଦ କିଣିବା ପାଇଁ ଲୋକମାନେ ଲମ୍ବା ଲାଇନ ଲଗାଇବାକୁ ପଛାଉ ନାହାନ୍ତି। ସ୍ଥିତି ଏପରି ହୋଇଛି ଯେ ସଂଘର୍ଷ କରି ମଦ ଦୋକାନ ପାଖରେ ପହଞ୍ଚୁଥିବା ଲୋକ ପେଟି ପେଟି ମଦ କିଣିବାରେ ଲାଗିପଡ଼ିଛନ୍ତି।
ଲକଡାଉନ ଯୋଗୁ ବ୍ୟବସାୟ ଠପ। ହେଲେ ମଦ କିଣିବାକୁ ଲୋକଙ୍କ ପାଖରେ ପ୍ରବଳ ଟଙ୍କା ରହିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। କର୍ଣ୍ଣାଟକାରେ ଜଣେ ବ୍ୟକ୍ତି ୫୨,୮୦୦ ଟଙ୍କାର ମଦ କିଣିଥିବା ବିଲ ଏବେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କୁ ଏତେ ପରିମାଣର ମଦ ଦେଇଥିବା ଦୋକାନୀଙ୍କ ନାଁରେ କର୍ଣ୍ଣାଟକା ଅବକାରୀ ବିଭାଗ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦୋକାନୀ ଜଣଙ୍କ ଜଣେ ଗ୍ରାହକଙ୍କୁ କେତେ ପରିମାଣର ମଦ ଦିଆଯାଇ ପାରିବ, ସେନେଇ ପ୍ରଣୟନ ହୋଇଥିବା ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ନିୟମ ଅନୁଯାୟୀ, ଜଣେ ଗ୍ରାହକଙ୍କୁ ଦୋକାନୀ ପ୍ରତିଦିନ ୨.୬ ଲିଟର ଯାଏ ବିଦେଶୀ ମଦ ଓ ୧୮ ଲିଟର ବିୟର ବିକ୍ରି ପରିପାରିବେ। କିନ୍ତୁ ଦକ୍ଷିଣ ବେଙ୍ଗାଲୁରୁର ଭାନିଲା ସ୍ପିରିଟ ଜୋନର ଦୋକାନୀ ଜଣେ ଗ୍ରାହକଙ୍କୁ ୧୩.୫ ଲିଟର ବିଦେଶୀ ମଦ ଓ ୩୫ ଲିଟର ବିୟର ବିକ୍ରି କରିଛନ୍ତି।
ସୋଶାଲ ମିଡିଆରେ ଗ୍ରାହକ ଜଣଙ୍କ ୫୨,୮୦୦ ଟଙ୍କା ଦେଇ କିଣିଥିବା ମଦର ବିଲ ଭାଇରାଲ ହେବା ପରେ ଅବକାରୀ ବିଭାଗ ଆକ୍ସନ ମୋଡକୁ ଆସିଛି। ଦୋକାନ ପକ୍ଷରୁ କୁହାଯାଇଛି ଯେ ୮ ଜଣ ମିଳିତ ଭାବେ ଏତେ ପରିମାଣର ମଦ ନେଇଛନ୍ତି। ହେଲେ ସେମାନେ ଗୋଟିଏ କାର୍ଡରେ ଟଙ୍କା ପୈଠ କରିଥିଲେ।