ନୂଆଦିଲ୍ଲୀ: ଡିଜିଟାଲ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏମ୍ଆଧାର ଆପ୍ ଲଞ୍ଚ୍ କରିଛନ୍ତି। ଏମ୍ଆଧାର ଏକ ମୋବାଇଲ ଆପ୍ ଓ ଏହା ଏବେ କେବଳ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ କାମ କରିବ। ଏହି ଆପ୍କୁ ଡାଉଲୋଡ୍ କରି ପଞ୍ଜିକୃତ କରିବା ପରେ ଆପଣଙ୍କୁ ଆଉ ଆଧାର କାର୍ଡ ଅବା ଆଧାର ନମ୍ବରକୁ ସାଙ୍ଗରେ ନେଇ କୁଆଡ଼େ ଯିବାକୁ ପଡ଼ିବନି।
ଏହି ଆପ୍କୁ ବିକଶିତ କରିଛି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)। ଏହି ଆପ୍ରେ ଆପଣଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗ ଓ ଠିକଣା ରହିବ। ତା’ ସହିତ ଫଟୋ ଓ ଆଧାର ନମ୍ବର ଲିଙ୍କ୍ ହେବ।
ଆଧାର ଭେରିଫାଇଡ୍ ଆକାଉଣ୍ଟରୁ କରାଯାଇଥିବା ଟ୍ୱିଟ୍ରେ କୁହାଯାଇଛି ଯେ #mAdhar ଲଞ୍ଚ୍ କରି ଦିଆଯାଇଛି। ଆଣ୍ଡ୍ରଏଡ୍ରେ ଚାଲୁଥିବା ଏହି ଆପ୍ ଗୁଗଲ ପ୍ଲେରେ ଉପଲବ୍ଧ ହେଉଛି।
ଏହି ଆପ୍ ଏବେ ବିଟା ଭର୍ସନରେ ଅଛି। ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା ପାଇଁ ବାୟୋମେଟ୍ରିକ୍ ଲିଙ୍କିଙ୍ଗ୍ ଫିଚର ଦିଆଯାଇଛି। ଏହି ଆପ୍କୁ ଥରେ ଲକ୍ କରି ଦେଲେ ତାହା ସେତେବେଳ ପର୍ଯ୍ୟନ୍ତ ଅନ୍ଲକ ହୋଇପାରିବ ନାହିଁ ଯେତେବେଳ ପର୍ଯ୍ୟନ୍ତ ନିଜେ ୟୁଜର ଏହାକୁ ଅନ୍ଲକ୍ କରିବେ ନାହିଁ।
ସୁରକ୍ଷା ଦୃଷ୍ଟିକୋଣରୁ ଟାଇମ୍ ବେସଡ୍ ୱାନ୍ ଟାମ୍ ପାସ୍ୱାର୍ଡ ବା ଟିଓଟିପିର ସୁବିଧା ମଧ୍ୟ ଦିଆଯାଇଛି। ୟୁଜରମାନେ ନିଜ ପ୍ରୋଫାଇଲ୍କୁ ଅପ୍ଡେଟ୍ ମଧ୍ୟ କରିପାରିବେ, କିନ୍ତୁ ସଫଳତାପୂର୍ବକ ଏ ସଂପର୍କିତ ନିବେଦନକୁ ସ୍ୱୀକାର କରିବା ପରେ।
ଏହି ଆପ୍କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ମୋବାଇଲ୍ ନମ୍ବର ରେଜିଷ୍ଟ୍ରି କରିବାକୁ ପଡ଼ିବ। ଏହା ହେଉଛି ସର୍ବପ୍ରଥମ ସର୍ତ।