ମୁମ୍ବାଇ: ମହାମାରୀ କରୋନା ପାଇଁ ମୁମ୍ବାଇ ଓ ପୁଣେରେ ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ମହାରାଷ୍ଟ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଆଜି କ୍ୟାବିନେଟ ବୈଠକ ବସିଥିଲା।
ବୈଠକ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନଥିଲେ ହେଁ ମୁମ୍ବାଇ ଓ ପୁଣେରେ ଲକଡାଉନ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରେ ହିଁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯୋଜନା କରିଛନ୍ତି।
ସେହିପରି କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଯେଉଁ ପରିବାରର ବାର୍ଷିକ ଆୟ ୧୫ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ଥିବ ସେମାନଙ୍କୁ ରିହାତି ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଶିବ ଥାଲି ଯୋଜନାରେ ସମସ୍ତ ଲୋକଙ୍କୁ ୩ ମାସ ଯାଏ ୫ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ। ପୂର୍ବରୁ ୧୦ ଟଙ୍କା ଏହା ମିଳୁଥିଲା। ପ୍ରଥମଥର ପାଇଁ ମହାରାଷ୍ଟ୍ରର କ୍ୟାବିନେଟ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା।