ମୁମ୍ବାଇ: ତାତ୍ସଲ୍ୟ ଏମିତି ଯେ ଭୟ ସୃଷ୍ଟି କରିବାକୁ ବାଧ୍ୟ ହେବ। ୨୦୧୪ ମସିହାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତୁଳନାରେ କମ୍ ଆସନରେ ଜିତିଥିବା ବିଜେପିକୁ ସହଯୋଗୀ ଦଳ ଶିବସେନାର ସାଂସଦ ସଞ୍ଜୟ ରାଉତ ଏବେ ଏଭଳି କାର୍ଟୁନ୍ ଟ୍ୱିଟ୍ କରି ମହାରାଷ୍ଟ୍ର ରାଜନୀତି ସରଗରମ କରାଇଛନ୍ତି।
ରାଉତ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରରୁ ଏକ ବାଘ (ଶିବସେନାର ଦଳୀୟ ଲୋଗୋର ଅଂଶ) ଫଟୋ ଟ୍ୱିଟ୍ କରିଛନ୍ତି। ବାଘଟି ହାତରେ ବିଜେପିର ଚିହ୍ନ ପଦ୍ମ ଧରି ଆଘ୍ରାଣରେ ମଜିଯାଇଛି ସତ ବେକରେ କିନ୍ତୁ ଏନ୍ସିପିର ଘଣ୍ଟାଟିଏ ପକାଇଛି। ସେ ଲେଖିଛନ୍ତି, ବ୍ୟଙ୍ଗ ଚିତ୍ରକାରଙ୍କ କମାଲ। ଖରାପ ଭାବନ୍ତୁନି ଦୀପାବଳି ଆସିଛି।
ଅବିଶ୍ୱସନୀୟ ନିଷ୍ପତ୍ତି ସବୁ ପାଇଁ ଖ୍ୟାତ ଶିବସେନା ଏହି କାର୍ଟୁନ୍ରେ କି ସଙ୍କେତ ଦଉଛି ତାହା ସମସ୍ତେ ଜାଣନ୍ତି। ପୂର୍ବରୁ ଶିବସେନାର ମୁଖ୍ୟମନ୍ତ୍ରୀ ପାଇଁ ପୋଷ୍ଟର କ୍ୟାମ୍ପେନ୍ କରିଥିବା ଏହି ଦଳ ବିଭିନ୍ନ ସମୟରେ ବିଜେପିକୁ ଧମକାଇ ଆସିଛି। ମେଣ୍ଟରେ ଥିଲେ ମଧ୍ୟ ବିଜେପିକୁ ବିରୋଧ କରିବା ସହ ଯେବେବି ସେମାନଙ୍କ ସଂଖ୍ୟା ବଢ଼ିଛି, ନିଜ ଦବ୍ଦବା ଜାହିର କରିବାକୁ ସେମାନେ ଭୁଲିନାହାନ୍ତି। ଅନ୍ୟପକ୍ଷରେ କାର୍ଟୁନ୍ ଜରିଆରେ ତେର୍ଛା ବ୍ୟଙ୍ଗ କରିବାରେ ନିଜେ ଦଳର ପ୍ରତିଷ୍ଠାତା ତଥା ପ୍ରଖର ହିନ୍ଦୁବାଦୀ ନେତା ବାଲସାହେବ ଠାକ୍ରେ ମାହିର ଥିଲେ। ଶିବସେନାର ‘ସାମ୍ନା’ ପତ୍ରିକା ଏହି ବ୍ୟଙ୍ଗ ତରିକାକୁ ଜାରି ରଖିଛି।