ମୁମ୍ବାଇ: ଘରୋଇ ଲ୍ୟାବରେ କରୋନା ଟେଷ୍ଟ ପାଇଁ ଲାଗୁ ହେଉଥିବା ଅର୍ଥ ରାଶି ନିର୍ଦ୍ଧାରଣ କରିଛନ୍ତି ମହାରାଷ୍ଟ୍ର ସରକାର। ଘରୋଇ ଲ୍ୟାବରେ ଟେଷ୍ଟ ପାଇଁ ୨୨ଶହ ଟଙ୍କା ଓ ଘରୁ ସ୍ୱାବ ନେଇ ପରୀକ୍ଷା କଲେ ୨୮ଶହ ଟଙ୍କା ହିଁ ବିଲ କରାଯାଇ ପାରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଏ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, “ମହାରାଷ୍ଟ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଘରୋଇ ଲ୍ୟାବ ଗୁଡ଼ିକ କୋଭିଡ-୧୯ ଟେଷ୍ଟ ପାଇଁ ସର୍ବାଧିକ ୨୨ ଶହ ଟଙ୍କା ଚାର୍ଜ ଲଗାଇ ପାରିବେ। କିନ୍ତୁ ଯଦି କୌଣସି ରୋଗୀଙ୍କ ସ୍ୱାବ ଲ୍ୟାବ ପକ୍ଷରୁ ଘରୁ ଆସି ସଂଗ୍ରହ କରାଯାଇ ପରୀକ୍ଷା କରାଯାଏ, ତା’ହେଲେ ୨୮ଶହ ଟଙ୍କା ଚାର୍ଜ ଲାଗିପାରିବ।
ଦେଶର ବିଭିନ୍ନ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ପାଇଁ କର୍ତ୍ତୃପକ୍ଷ ମନଇଚ୍ଛା ଅର୍ଥ ଆଦାୟକ କରୁଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ମହାରାଷ୍ଟ୍ର ସରକାର ଘରୋଇ ଲ୍ୟାବ ଗୁଡ଼ିକ ପାଇଁ ଟେଷ୍ଟ ଚାର୍ଜ ଧାର୍ଯ୍ୟ କରିଛନ୍ତି।
ଏହାପୂର୍ବରୁ ମହାରାଷ୍ଟ୍ର ସରକାର ଟେଷ୍ଟିଂ ଚାର୍ଜ କେତେ ହେବ, ସେ ସମ୍ପର୍କରେ ପ୍ରସ୍ତାବ ଦେବାକୁ ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟିର ପ୍ରସ୍ତାବ କ୍ରମେ ଆଜି ସରକାର ଘରୋଇ ଲ୍ୟାବଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି।