ମୁମ୍ବାଇ: କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ୮ ହଜାରରୁ ଅଧିକ ପଜିଟିଭ କେସ୍ ସାମ୍ନାକୁ ଆସିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏବେ ସ୍ଥିତି ଏପରି ହେଲାଣି ଯେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର କରି ଯାଇଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ର ସ୍ଥିତି ବେକାବୁ ହୋଇଛି।
ଆଜି ଗୋଟିଏ ଦିନରେ ରେକର୍ଡ ୮,୩୪୮ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୦,୯୩୭କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୪୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧,୫୯୬ ଛୁଇଁଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧,୬୫,୬୬୫ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୧,୨୬,୯୨୬ ରହିଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର କହିଛନ୍ତି ଯେ ରାଜ୍ୟରେ କୌଣସି ପ୍ରକାରର ରାଜନୀତିକ, ସାମାଜିକ ଓ ଧାର୍ମିକ ଏକତ୍ରୀକରଣ ହୋଇପାରିବ ନାହିଁ। ଆଗକୁ ଗଣେଷ ପୂଜା ଓ ବକ୍ରୀ ଇଦ୍ ଆସୁଥିବାରୁ ଶ୍ରୀ ଠାକରେ ଏଭଳି ବୟାନ ଦେଇଥିବା କୁହାଯାଉଛି।