ବଲିଉଡ-ପାକ୍ ଲିଙ୍କ୍, ବୈଜୟନ୍ତଙ୍କ ଟୁଇଟର ଜବାବ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ
ମୁମ୍ୱାଇ: ପାକିସ୍ତାନ ଏବଂ ଆଇଏସଆଇ ସହିତ ଲିଙ୍କ ଥିବା ବ୍ୟକ୍ତିଙ୍କ ସହିତ ବଲିଉଡର କିଛି ବ୍ୟକ୍ତି ବିଶେଷ ସମ୍ପର୍କରେ ରହିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏକ ଟୁଇଟ୍ କରିଥିଲେ। ଏହାର ଜବାବ ରଖିଛନ୍ତି ମହାରାଷ୍ଟ୍ର ସରକାର। ଆଗାମୀ ଦିନରେ ଏ ନେଇ ତଦନ୍ତ ହେବ ବୋଲି ଆଶ୍ୱସନା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।
Came across shocking threads documenting personal & business links of some Bollywood personalities with certain Pakistanis & NRIs with undeniable track record encouraging violence in J&K, who have verifiable links to ISI & Pak army. I urge patriotic Bollywoodies to renounce them.
— Baijayant Jay Panda (@PandaJay) July 22, 2020
ବଲିଉଡର କିଛି ବ୍ୟକ୍ତି ପାକିସ୍ତାନ ଆର୍ମିର ଏଜେଣ୍ଟ ସହିତ ସମ୍ପର୍କରେ ରହିଛନ୍ତି। ପାକିସ୍ତାନ ସେନା, ଆଇଏସଆଇ ସମେତ ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିତ୍ୱଙ୍କର ସହିତ ବ୍ୟବସାୟିକ ଓ ବ୍ୟକ୍ତିଗତ ସଂପର୍କ ରହିଛି। ଟୁଇଟରରେ ବିଭିନ୍ନ ଥ୍ରେଡ ପଢ଼ିବା ପରେ ଏଭଳି ଜାଣି ବୈଜୟନ୍ତ ଆଶ୍ଚର୍ଯ୍ୟ ପ୍ରକାଶ କରି ବୁଧବାର ଟୁଇଟ କରିଥିଲେ। ଏବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ତର୍କ। ଏମିତିକି ଅନେକ ବିଟାଉନ କଳାକାରଙ୍କର ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ମହାରାଷ୍ଟ୍ର ଗୃହ ମନ୍ତ୍ରୀ କହିଛନ୍ତି, ପାକିସ୍ତାନ ଲିଙ୍କର ତଦନ୍ତ ହେବ। ଯଦି କୌଣସି ଅନିୟମିତତା ଆସିବ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶିବସେନାର ଜଣେ ସାଂସଦ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ ପରେ ଅନୀଲ ଦେଶମୁଖଙ୍କୁ ଚିଠି ଲେଖି ଏହି ବଲିଉଡ-ପାକ୍ ଲିଙ୍କର ତଦନ୍ତ ପାଇଁ ଦାବି କରିଥିବା ସୂଚନା ରହିଛି।
ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ ପରେ ଶାହରୁଖ ଖାନଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ସବୁ ଫଟୋରେ କଶ୍ମୀରୀ ବିଚ୍ଛିନ୍ନତାବାଦୀ ଟନି ଆଶାଇଙ୍କ ସହ ବଲିଉଡର କିଙ୍ଗ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ଫଟୋ ରହିଛି। ଏହି ଫଟୋର ସତ୍ୟତାକୁ ନେଇ କିଛି ଜଣାପଡ଼ି ନାହିଁ। କଶ୍ମୀରର ଯୁବକମାନଙ୍କ ପ୍ରବର୍ତ୍ତାଇ ହିଂସା ବ୍ୟାପିବା ପଛରେ ଆଶାଇଙ୍କର ଭୂମିକା ରହିଥିବା ପୂର୍ବରୁ ଜଣାପଡ଼ିଛି।
ଖାଲି ଶାହରୁଖ ଖାନ ନୁହଁ ଅନୀଲ କପୁର, କରଣ ଜୋହର, ସୋନମ କପୁରଙ୍କ ସହିତ ଟନି ଆଶାଇଙ୍କର ଫଟୋ ଏବେ ଭାଇରାଲ ହୋଇଛି। ଏହି ବଲିଉଡ କଳାକାର ବ୍ରିଟେନରେ ଭାରତ ବିରୋଧୀ ନାରା ଦେଉଥିବା ଅନୀଲ ମସରର୍ତଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିବା ଦାବି ହୋଇଛି। ଯାହାର ଫଟୋ ଜାତୀୟ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଅନୀଲ ମସରର୍ତ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ତହରିକ-ଏ-ଇନସାଫ ଦଳ ପାଇଁ ବ୍ରିଟେନରେ ପାଣ୍ଠି ଯୋଗାଡ଼ କରିଥିବା ବ୍ୟକ୍ତି। ଅନୀଲ ପାକିସ୍ତାନ ସେନାର ପ୍ରମୁଖ କମର ବାଜଓ୍ୱା ଏବଂ ପାକ ସେନାର ପୂର୍ବତନ ମୁଖପାତ୍ର ଆସିଫ ଗଫୁରଙ୍କ ନିକଟତମ ବ୍ୟକ୍ତି ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।