ମୁମ୍ବାଇ: ମହାରାଷ୍ଟ୍ରରେ କାୟା ବିସ୍ତାର କରୁଥିବା ମହାମାରୀ କରୋନା ଭାଇରସ ଥମିବାର ନାଁ ଧରୁନାହିଁ। ରବିବାର ରାତିରୁ ସୋମବାର ସନ୍ଧ୍ୟା ମଧ୍ୟରେ ଏଠାରେ ପୁଣିଥରେ ୫୨୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି।
ସେହିପରି ୨୪ ଘଣ୍ଟା ମଧ୍ୟରେ ଆଉ ୨୭ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯୦ରେ ପହଞ୍ଚି ଯାଇଛି। ସେହିପରି ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୩୬୯ ଛୁଇଁଛି।
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେଙ୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ମୁମ୍ବାଇରେ ୩୬୯ଟି ପଜିଟିଭ ସାମ୍ନାକୁ ଆସିଛି। ଫଳରେ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୭୭୬ରେ ପହଞ୍ଚି ଯାଇଛି। ମୁମ୍ବାଇରେ ଆଉ ୧୫ ଜଣ ପ୍ରାଣ ହରାଇବାରୁ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୯ ଛୁଇଁଛି।
ସେହିପରି ଅମରାବତୀରେ ୬, ପୁଣେରେ ୪ ଓ ଜଲଗାଓଁ ଏବଂ ଔରଙ୍ଗାବାଦରେ ଜଣେ ଲେଖାଏ ଲୋକ କରୋନାରେ ଆଖି ବୁଜିଛନ୍ତି। ମୃତ ୨୭ ଜଣଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ୧୫ ଜଣ ପୁରୁଷ। ପ୍ରାଣ ହରାଇଥିବା ୧୩ ଜଣଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ବେଳେ ୮ ଜଣଙ୍କ ବୟସ ୪୦ରୁ ୫୯ ବର୍ଷ ମଧ୍ୟରେ ଏବଂ ୬ ଜଣଙ୍କ ବୟସ ୪୦ ବର୍ଷରୁ କମ।
ମହାରାଷ୍ଟ୍ରରେ ୧,୨୧,୫୬୨ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ୧,୧୨,୫୫୨ ନେଗେଟିଭ ଆସିଛି। ସେହିପରି ୮,୫୯୦ଟି ପଜିଟିଭ ମାମଲା ରେକର୍ଡ କରାଯାଇଛି।