ନୂଆଦିଲ୍ଲୀ: କରୋନା ସଂପର୍କିତ ଉପକରଣ ଜିଏସଟି ମୁକ୍ତ ହେବା ଦରକାର। ସୋମବାର କେନ୍ଦ୍ର ସରକାରଙ୍କ ନିକଟରେ କେରଳ ଓ୍ୱାୟନାଡ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଦାବି କରିଛନ୍ତି। ସରକାର କରୋନା ସଂପର୍କିତ ଉପକରଣ ଉପରେ ଜିଏସଟି ଲଗାଇବା ଠିକ୍ ହେବନି ବୋଲି ରାହୁଲ ଗାନ୍ଧି କହିଛନ୍ତି। ହେଲେ ସରକାର ରାହୁଲଙ୍କ ଦାବିକୁ ଖାରଜ କରିଥିବା ସୂଚନା ରହିଛି।
ସାନିଟାଇଜର, ସାବୁନ, ମାସ୍କ, ଗ୍ଲୋଭସ ଆଦି ଉପରେ ମଧ୍ୟ ସରକାର ଜିଏସଟି ଲାଗୁ ନକରିବା ଦରକାର ବୋଲି ରାହୁଲ ଗାନ୍ଧି ଟୁଇଟ୍ କରି କହିଛନ୍ତି। ସରକାର କେଉଁ କେଉଁ ସାମଗ୍ରୀ ଉପରେ ଜିଏସଟି କେତେ ଲଗାଇଛନ୍ତି ସେ ନେଇ ମଧ୍ୟ ଏକ ତାଲିକା ଶେୟାର କରିଛନ୍ତି।
ରାହୁଲଙ୍କ ତାଲିକା ଅନୁଯାୟୀ, ସାନିଟାଇଜର, ହ୍ୟାଣ୍ଡ ଓ୍ୱାଶ ଏବଂ ଆସବାବପତ୍ର ଯଥା ହସ୍ପିଟାଲ୍ ବେଡ୍ ଏବଂ ପରୀକ୍ଷା ଟେବୁଲ୍ ଉପରେ ୧୮ ପ୍ରତିଶତ ଜିଏସଟି, ରକ୍ତ ପରୀକ୍ଷା ଷ୍ଟ୍ରିପ୍, ମେଡିକାଲ୍ ଗ୍ରେଡ୍ ଓକ୍ସିଜେନ ଏବଂ ହାଇଡ୍ରୋଜେନ୍ ପେରକ୍ସାଇଡ୍ ଉପରେ ୧୨ ପ୍ରତିଶତ ଜିଏସଟି ଏବଂ ମାସ୍କ, ଡାଇଗ୍ନୋଷ୍ଟିକ୍ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରାଯାଏ।