କୋଲକାତା: ବିଜେପି ଦେଶ ପାଇଁ ଅଭିଶାପ। ନିର୍ବାଚନ ବେଳେ ବିଜେପି ଅନେକ ମିଛ ପ୍ରତିଶ୍ରୁତି ଦିଏ। ଏବେ ଟିଏମସି ବିଧାୟକଙ୍କୁ ପଇସା ଲୋଭ ଦେଖାଇ କିଣିବାକୁ ଚେଷ୍ଟା କରୁଛି। ନିର୍ବାଚନ ବେଳେ ବିଜେପି ତାର ତଦନ୍ତକାରୀ ସଂସ୍ଥା ଦ୍ୱାରା ନାରଦା, ଚିଟଫଣ୍ଡ ତଦନ୍ତ କରୁଛି। ଯଦି ବିଜେପିର ସାହସ ଅଛି ତାହେଲେ ତାଙ୍କୁ ଗିରଫ କରି ବିଜେପି ଜେଲରେ ପୁରାଉ ବୋଲି ମମତା କହିଛନ୍ତି।
ଆସନ୍ତାବର୍ଷ ଏପ୍ରିଲ-ମେ ବେଳକୁ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ହେଲେ ନିର୍ବାଚନ ପ୍ରଚାରର ଯଥେଷ୍ଟ ପୂର୍ବରୁ ରାଜନୀତିକ ଦଳମାନେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ୨୦୧୧ଠୁ ରାଜ୍ୟରେ ଟିଏମସି ସରକାର ରହିଛି। ୨୫ ନଭେମ୍ୱରରେ ଓ୍ୱାଙ୍କୁଡାର ଏକ ରାଲିରେ ଯୋଗ ଦେଇ ମମତା ବିଜେପିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ ଜେଲରେ ରହିଲେ ବି ନିର୍ବାଚନରେ ବିଜୟୀ ହୋଇ ଆସିବେ ବୋଲି କହିଛନ୍ତି।
ସେହିପରି ବିହାର ନିର୍ବାଚନ ନେଇ ମମତା ରାଲିରେ କହିଛନ୍ତି, ଲାଲୁ ଜେଲରେ ଥିଲେ ମଧ୍ୟ ତାଙ୍କ ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛନ୍ତି। ବିହାରରେ ବିଜେପି କଳେବଳେ କୌଶଳ ବିଜୟୀ ହୋଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୩ ତାରିଖ ଦିନ ସିବିଆଇ ଚିଟଫଣ୍ଡ ଘୋଟାଲାର ତଦନ୍ତ କରି ସାରାଦା କମ୍ପାନୀର ସହଯୋଗୀ କମ୍ପାନୀ ଏଞ୍ଜେଲ୍ ଆଗ୍ରିଟେକ୍ ଗ୍ରୁପର ଏମଡି ନଜବୁଲ୍ଲାଙ୍କୁ ଗିରଫ୍ କରିଛି। ଅନ୍ୟପଟେ ନାରଦା ଷ୍ଟିଙ୍ଗ୍ ମାମଲାରେ ତିନି ଟିଏମସି ନେତାଙ୍କୁ ସମନ୍ କରିଛି।
ନାରଦା ଷ୍ଟିଙ୍ଗ୍ ମାମଲାରେ ଇଡି ତିନି ଟିଏମସି ନେତା ମନ୍ତ୍ରୀ ଫିରହାଦ ହାକିମ, ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସାଂସଦ ପ୍ରସୁନ ବନ୍ଦୋପାଧ୍ୟାୟଙ୍କୁ ସମନ୍ କରିଛି। ଇଡିରେ ହାଜର ହେବା ପାଇଁ ଏହି ତିନି ନେତାଙ୍କୁ ସମନ୍ ହୋଇଛି। ଏହି ନେତାଙ୍କ ନାମରେ ଲାଞ୍ଚ ନେଉଥିବାର ଅଭିଯୋଗ ରହିଛି।