ମୁମ୍ବାଇ:ପୂର୍ବତନ କ୍ରିକେଟର ତଥା ଭାରତରତ୍ନ ସଚିନ ତେନ୍ଦୁଲକରଙ୍କୁ ଝିଅଙ୍କୁ ଅସଦାଚରଣ। ଖାଲି ଅସଦାଚରଣ ନୁହେଁ ଅପହରଣ ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ପଞ୍ଚିମବଙ୍ଗ ପୂର୍ବମେଦିନପୁରର ମାହିସାଦାଲ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି। ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଦେବ କୁମାର ମାଇତି(୩୨) ନାମକ ଜଣେ ଯୁବକଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୂର୍ବମେଦିନପୁର ପୋଲିସ ସହାୟତାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କୁ ସ୍ଥାନୀୟ ତଳ କୋର୍ଟରେ ହାଜର ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ମୁମ୍ବାଇ ପୋଲିସ। ପୋଲିସର ସୂଚନା ଅନୁଯାଇ ଅଭିଯୁକ୍ତ ଦେବ କୁମାର ତେନ୍ଦୁଲକରଙ୍କ ଝିଅ ସାରାଙ୍କ ନିକଟକୁ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରିଥିଲେ। ଏଥିରେ ଯୁବକ ଜଣକ ବିଫଳ ହେବାରୁ ଫୋନ୍ କରି ବିଭିନ୍ନ ପ୍ରକାର ଅଶାଳୀନ ଭାଷା ବ୍ୟବହାର କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେହିପରି ତାଙ୍କୁ ଅପହରଣ ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସବୁ କଲ ତେନ୍ଦୁଲକରଙ୍କ ବାସଭବନର ଲ୍ୟାଣ୍ଡଲାଇନ୍ ନମ୍ବରକୁ ଆସିଥିବା ଅଭିଯୋଗ ହୋଇଛି।
ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହୋଇଥିଲା। ପରେ ମୁମ୍ବାଇ ପୋଲିସ ତଦନ୍ତ କରି ଫୋନ୍ କଲକୁ ଟ୍ରାକ୍ କରିଥିଲା। ତଦନ୍ତ ବେଳେ ଫୋନ୍ କଲଟି ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡ଼ିଥିଲା। ଏହା ପରେ ପଶ୍ଚିମବଙ୍ଗ ପୋଲିସର ସହାୟତା ନେଇ ମୁମ୍ବାଇ ପୋଲିସ ଶେଷରେ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ ଦେବ କୁମାର ଯୁକ୍ତ ୨ରୁ ପଢା ଛାଡ଼ିଥିବା ପୋଲିସ କହିଛି। ଏନେଇ ଅଭିଯୁକ୍ତ ଦେବକୁମାରଙ୍କ ମା’ କନକ ମାତି ଏବଂ ଭାଇ ରାଜକୁମାର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଦେବ କୁମାର କିଛିମାସ ହେବ ମାନସିକ ଚାପରେ ରହୁଥିଲେ। ଏଥିପାପାଇଁ ତାଙ୍କୁ ଚିକିତ୍ସା ମଧ୍ୟ କରାଯାଇଥିଲା। ମାନସିକ ଭାରସାମ୍ୟ ହରାଇ ସେ କିଛିଦିନ ହେଲା ଏଭଳି ଅସ୍ୱାଭାବିକ୍ କାମ କରୁଥିବା ପରିବାର ଲୋକେ କହିଛନ୍ତି।
ଅନ୍ୟପଟେ ଅଭିଯୁକ୍ତ ଦେବ କୁମାର କହିଛନ୍ତି ଯେ, ଥରେ ସେ ମୁମ୍ବାଇର ଏକ କ୍ରିକେଟ ଷ୍ଟାଡିୟମରେ ପାଭେଲିୟନରେ ସାରାଙ୍କୁ ଦେଖିଥିଲେ। ସେଇଠି ତାଙ୍କୁ ଦେଖି ଭଲ ପାଇ ବସିଥିଲେ। ପରେ ସେ ତାଙ୍କ ଘର ନମ୍ବର ସଂଗ୍ରହ କରି ସାରାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ତାଙ୍କ ପ୍ରସ୍ତାବକୁ ସାରା ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତେବେ ସେ ସାରାଙ୍କୁ ବାରମ୍ବାର ଫୋନ କରିଥିବା ସ୍ୱୀକାର କରିଥିଲେ। ସାରାଙ୍କୁ ବିବାହ କରିବାରେ କୌଣସି ଏକ ଭୁଲ କାମ ନୁହଁ ବୋଲି ଯୁବକ ଜଣକ ଯୁକ୍ତିବାଢିଥିଲେ । ତେବେ ପୋଲିସ ତାଙ୍କୁ ତେନ୍ଦୁଲକରଙ୍କୁ ଜାଣିଛକି ନାହଁ ବୋଲି ପଚାରିବାରୁ ଯୁବକ ଜଣକ କୌତୁକିଆ ଢଙ୍ଗରେ ଉତ୍ତର ଦେଇଥିଲେ। କହିଥିଲେ ତେନ୍ଦୁଲର ହେଉଛନ୍ତି ମୋ ଶ୍ୱଶୁର।
ସୌଜନ୍ୟ: ହିନ୍ଦୁସ୍ଥାନ ଟାଇମ୍ସ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।