ମୁମ୍ବାଇ: ସାନ୍ତା କ୍ରୁଜ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ମହାମାରୀରେ ଆକ୍ରାନ୍ତ ତାଙ୍କ ୭୪ ବର୍ଷୀୟ ବାପାଙ୍କୁ ହରାଇଛନ୍ତି। ଏଥିସହ ସେ ହସ୍ପିଟାଲରେ ଚିକିତ୍ସା ବାବଦକୁ ୧୬ ଲକ୍ଷ ଟଙ୍କା ଦେବାକୁ ବିଲ ପାଇଛନ୍ତି। ବ୍ୟକ୍ତି ଜଣଙ୍କର ବାପା କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
୧୫ ଦିନ କାଳ ଆଇସିୟୁରେ ବୃଦ୍ଧ ଜଣଙ୍କ ରହିଥିଲେ ହେଁ ଶେଷରେ ସେ ପ୍ରାଣ ହରାଇଛନ୍ତି। ବାପାଙ୍କୁ ହରାଇଥିବା ପୁଅ ଜଣଙ୍କ ନିଜ ନାଁ ଗୋପନ ରଖି କହିଛନ୍ତି, “କୌଣସି ମଧ୍ୟବିତ୍ତ ପରିବାରର ଲୋକ ଦୈନିକ ୧ ଲକ୍ଷ ଟଙ୍କା ଦେଇ ଚିକିତ୍ସା କରିବାକୁ ସକ୍ଷମ ବୋଲି ମୁଁ ଭାବୁନାହିଁ। ବାପାଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ଆସିଥିବା ବିଲ ଦେଖି ଆମେ ଆଶ୍ଚର୍ଯ୍ୟ।
ମେଡିସିନ ଓ ରହିବା ପାଇଁ ୮.୬ ଲକ୍ଷର ବିଲ ହୋଇଥିବା ବେଳେ କୋଭିଡ-୧୯ ଚିକିତ୍ସା ପାଇଁ ୨.୮ ଲକ୍ଷର ବିଲ ହୋଇଛି। ଆଡମିସନ ବେଳେ ମୁଁ ୬୦ ହଜାର ଟଙ୍କା ପୈଠ କରିଥିଲି। ଏହାପରେ ଡାଏଲେସିସ, ବ୍ଲଡ, ଟେଷ୍ଟ, ବ୍ଲଡ ସେରମ ଭଳି ଅନେକ ଟେଷ୍ଟ କରାଯିବାକୁ ମୋତେ କୁହାଯାଇଥିଲା। ମୁଁ ଏଥିପାଇଁ ୩.୪ ଲକ୍ଷ ଟଙ୍କା ଦେଇଥିଲି।
ଏହାର କିଛି ଦିନ ପରେ ହସ୍ପିଟାଲର ବିତ୍ତ ବିଭାଗ ପକ୍ଷରୁ ମୋତେ ଫୋନ ଆସିଥିଲା। ଯଦି ମୁଁ ଟଙ୍କା ପୈଠ ନ କରିବି, ତା’ହେଲେ ସେମାନେ ଚିକିତ୍ସା ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ବାପାଙ୍କ ମୃତ୍ୟୁ ପରେ ଡସ୍ପିଟାଲ ଆମ୍ବୁଲାନ୍ସ ଯୋଗେ ମୃତଦେହ ପଠାଇଥିଲେ। ହେଲେ ଏଥିପାଇଁ ବି ମୁଁ ୮ ହଜାର ଟଙ୍କା ଦେଇଥିଲି।”
ଅନ୍ୟପକ୍ଷରେ ବୃଦ୍ଧ ଜଣଙ୍କ ଏପ୍ରିଲ ୧୫ରେ ନାନାବତୀ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଏହାର ନିର୍ଦ୍ଦେଶକ ମନପ୍ରୀତ ସୋହାଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ କୌଣସି ଅଧିକ ଚାର୍ଜ କରାଯାଇ ନହିଁ।
ରୋଗୀଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଏଠାକୁ ଅଣାଯାଇଥିଲା। ତାଙ୍କର ଏକାଧିକ ଅଙ୍ଗ ପ୍ରତ୍ୟେଙ୍ଗ କାମ କରୁ ନଥିଲା। ଆମେ ତାଙ୍କୁ ବଞ୍ଚାଇବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲୁ। ହେଲେ ସେ ଶେଷରେ ଆଖିବୁଜି ଦେଇଥିଲେ।