ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ମନୁଷ୍ୟକୃତ। ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଆଜି ଖରାପ୍ ହୋଇଛି। ତେଣୁ ମାନ୍ଦାବାସ୍ଥାରୁ ମୁକୁଳିବା ପାଇଁ ଅଭିବୃଦ୍ଧି ପ୍ରସଙ୍ଗରେ ରାଜନୀତି ନକରି ଗମ୍ଭୀର ଭାବରେ ଦେଶର ଅର୍ଥନୀତି ବାବଦରେ ଚିନ୍ତା କରିବାକୁ ମୋଦି ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଦୁଇ ଦିନ ତଳେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସ(ଏପ୍ରିଲ-ଜୁନ୍)ର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଯେଉଁଥିରେ ଗୋଟିଏ ବର୍ଷ ଭିତରେ ଦେଶର ଅଭିବୃଦ୍ଧି ହାର ୩ ପ୍ରତିଶତ କମିଥିବା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ସରକାରରେ ତରବରିଆ ଭାବରେ ନୋଟବନ୍ଦୀ ଏବଂ ଜିଏସଟି ବାବଦରେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦେଶର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି।
ସେ ଆହୁରି କହିଛନ୍ତି ଦ୍ରୁତ ଅଭିବୃଦ୍ଧି ପାଇଁ ଭାରତ ପାଖରେ ବିକଳ୍ପ ରହିଛି। ହେଲେ ମୋଦି ସରକାରଙ୍କ ଭୁଲ୍ ନିଷ୍ପତ୍ତି ଅର୍ଥ ବ୍ୟବସ୍ଥାକୁ ଖରାପ କରିଛି। ମାନୁଫାକ୍ଚରିଂ ସେକ୍ଟରରେ ବିକାଶ ହାର ଖସି ୦.୬ରେ ପହଞ୍ଚିଛି। ତେଣୁ ଦେଶର ଅର୍ଥବ୍ୟବସ୍ଥା ଦୀର୍ଘ ସମୟ ପାଇଁ ଖରାପ ରହିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଦେଶର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଏବେ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଛି। ଯାହାକି ଦୀର୍ଘ ୬ ବର୍ଷରେ ସବୁଠୁ କମ୍। ଗତବର୍ଷ ଜୁନ୍ ୩୦, ୨୦୧୮ରେ ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତ ଥିଲା। ଏବେ ବର୍ଷକ ମଧ୍ୟରେ ତିନି ପ୍ରତିଶତ ଅଭିବୃଦ୍ଧି ହାର କମିଛି। ଏହି ଖରାପ ସ୍ଥିତିରୁ ମୁକୁଳିବା ପାଇଁ ମୋଦି ସରକାର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏକକୀକରଣ କରୁଛନ୍ତି। ହେଲେ ଅର୍ଥନୀତିଜ୍ଞଙ୍କ ମତରେ ଏଭଳି ପ୍ରୟାସ ଅର୍ଥନୀତି ଉପରେ ସେତେଟା ପ୍ରଭାବ ପକାଇ ପାରିବ ନାହିଁ।